Unknown

 

 

 

 

 

 

 

 

 

ଅବକାଶ-ଚିନ୍ତା

ଗୋପବନ୍ଧୁ ଦାସ

 

ସୂଚୀପତ୍ର

 

୧.

ପ୍ରାର୍ଥନା

୨.

ବାଣୀ

୩.

କବିତା

୪.

ଶମ୍ଭୁକର ବାଜପେୟୀ

୫.

ଭକ୍ତ କବିବର ଶ୍ରୀ ଜଗନ୍ନାଥ ଦାସ

୬.

ବଳରାମ ଦାସ

୭.

ସାରଳା ଦାସ

୮.

ଅନଙ୍ଗଭୀମ ଦେବ

୯.

ପୁରୁଷୋତ୍ତମ ଦେବ

୧୦.

ଉପେନ୍ଦ୍ର ଭଞ୍ଜ

୧୧.

ସାମନ୍ତ ଚନ୍ଦ୍ର ଶେଖର

୧୨.

ସ୍ୱର୍ଗୀୟ ପଣ୍ଡିତ ହରିହର ଦାସ ଶର୍ମା

୧୩.

କାଠଯୋଡ଼ୀ ତୀରେ ସାୟଂକାଳ (୧)

୧୪.

କାଠଯୋଡ଼ୀ ତୀରେ ସାୟଂକାଳ (୨)

୧୫.

କାଠଯୋଡ଼ୀ ତୀରେ ସାୟଂକାଳ (୩)

୧୬.

ଭାର୍ଗବୀ ପ୍ରତି

୧୭.

ଖଣ୍ଡଗିରି ଶିଖରେ

୧୮.

କଟକର ଶିଳାସେତୁ

୧୯.

ବିଂଶ ଶତାବ୍ଦୀର ପ୍ରଥମ ଦିନ ବାରବାଟୀ ଦର୍ଶନ

୨୦.

ବାଲିଯାତ୍ରା ସନ୍ଧ୍ୟାରେ-ମହାନଦୀ ତୀରେ

୨୧.

ରେଳ ଉପରେ ଚିଲିକା-ଦର୍ଶନ

୨୨.

ଗଞ୍ଜାମ ଜାତୀୟ ସମିତି

୨୩.

ବ୍ରାହ୍ମଣ ସମିତି ଛାତ୍ରାବାସରେ ସମବେତ ଛାତ୍ରମାନଙ୍କ ପ୍ରତି

୨୪.

କାମ

୨୫.

କ୍ରୋଧ

୨୬.

ରେଭନ୍‌ସା କଲେଜରୁ ବିଦାୟ

୨୭.

ମୋ ନାନୀ

୨୮.

ଛବିଶ ବର୍ଷ ପ୍ରବେଶ

୨୯.

ବିଷାଦ ସମୟରେ ଲିଖିତ କତିପୟ ପଂକ୍ତି

୩୦.

ଚନ୍ଦ୍ର

୩୧.

ଏକ ଅସରା ବର୍ଷାର ଅବ୍ୟବହିତ ପରେ ନରାଜ ଦର୍ଶନ

୩୨.

ଗ୍ରୀଷ୍ମେ ଖୁଣ୍ଟାଗଛ

୩୩.

ଗୋଟିଏ କାଙ୍କଣ ଗଛ

୩୪.

କୋକିଳ

୩୫.

ଅନାଥା କଳିକା

୩୬.

ଶିବରାତ୍ରି

୩୭.

ପଥିକ

୩୮.

ଗିରି-ଶିଖେ ଲୟ ରଖି ଚାଲିବି ମୁକର

୩୯.

ନୀରବ

•••

 

ପ୍ରାର୍ଥନା

 

ପ୍ରଭୁ ଦୟାମୟ ଜଗତପତି

ଅନାଥର ନାଥ ଅଗତିଗତି

ତବ ଶ୍ରୀଚରଣେ ଏହି ବିନତି

କରୁଛୁ ଉତ୍କଳ-ଶିଶୁ ସନ୍ତତି

ମିଳି ଆଜି ଏକମନେ ହେ,

ଦିଅ ନବ ତେଜ ନବୀନ ସାହାସ

ଉତ୍କଳମାତା ଜୀବନେ ହେ । ୧ ।

ହିନ୍ଧୁ ଖ୍ରୀଷ୍ଟ ଜୈନ ମୁସଲମାନ,

ଭେଦ ଭୁଲି ଏବେ ସର୍ବେ ସମାନ,

ଭ୍ରାତୃ-ପ୍ରେମ-ଡୋରେ ହୋଇଣ ବାନ୍ଧି

ଜଣାଉଛୁ ତବ ଛାମୁରେ କାନ୍ଦି,

ଅରକ୍ଷିତ ଶିଶୁକୁଳ ହେ,

ଜନନୀ ବିଷାଦେ ଭସାଇ ନ ଦିଅ

କେବେ ପ୍ରଭୁ ଆଦିମୂଳ ହେ । ୨ ।

ଉତ୍କଳ ମାତାର ଅତୀତ ଯଶ,

ବିପୁଳ ବିଭବ ବଳ ସାହସ

ସୁମରିଣ ଫାଟିଯାଏ ହୃଦୟ,

ଦେଖି ଅବସ୍ଥାର ଏ ବିପର୍ଯ୍ୟୟ

ରକ୍ତ-ମାଂସ-ଦେହ ଧରି ଯେ,

ଅଧୀର ଆତୁର କିଏ ସେ ନ ହେବ

ଦେଖି ମାତା ଏତେ ସରି ଯେ । ୩ ।

ଅଛି ସେହି ନଦୀ, ଅଛି ସେ ଗିରି,

ଅଛି ସେ ବିପିନ, କାହିଁ ସେ ଶିରୀ ?

ଅଛି ସେହି ସେତୁ, ସେହି ଦେଉଳ,

କାହିଁ ସେହୁ ଦକ୍ଷ କର ସଂକୁଳ ?

କଲା ଯା ଏତେ କୀରିତି ଯେ,

ଦଶ ଦିଗ ଶୂନ୍ୟ, କାହିଁ ପୂର୍ବ ପୁଣ୍ୟ,

କାହିଁ ସେ ପୂର୍ବ ଶକତି ଯେ ? । ୪ ।

ରହିଅଛି କାବ୍ୟ ନାହାନ୍ତି କବି,

ଅଛି ସେହି ଦେଶ ନାହିଁ ସେ ଛବି,

କାଳବଳେ ସବୁ ସରିଛି ସାର,

ଆହା କି ସୁନ୍ଦର କି ନାରଖାର !

କି ଘୋର କର୍ମବିପାକ ହେ,

ହର ଏ ଦୁର୍ଗତି ହରି ବିଶ୍ୱପତି

ଶୁଣ ଏ କାତର ଡାକ ହେ । ୫ ।

ସର୍ବ ଧର୍ମଧାମ ପୁଣ୍ୟ ଉତ୍କଳ-

ବଦନେ ବିକାଶୁ ଚାରୁ ବିମଳ,

ଜାଗୁ ଚଉଦିଗେ ନବ ପରାଣ,

କର ଏ କରୁଣା ଆରତତ୍ରାଣ,

ନୀଳାଚଳ,ନୀଳାଚଳ ହେ,

ବୋଲି ସୁବିଶାଳ ଭାରତ ଭୁବନେ

ପଡ଼ୁ ସତତ ଚହଳ ହେ । ୬ ।

ବ୍ରାହ୍ମଣ-ଶାସନ ଶବରପଲ୍ଲୀ,

କୃଷକ କୁଟୀର ନୃପ ଅଟ୍ଟାଳି,

ଜାତୀୟତା-ସ୍ରୋତେ ହେଉ ପ୍ଳାବିତ,

ଉଠୁ କୋଟି କଣ୍ଠୁ ଜାତୀୟ ଗୀତ,

ତେଜି ସ୍ୱାର୍ଥ ଅଭିମାନ ଯେ,

ଜନନୀ-କଲ୍ୟାଣେ ସାଧୁ ଅନୁଷ୍ଠାନେ

ରହୁ ସଦା ମନ ଧ୍ୟାନ ଯେ । ୭ ।

ସଂସାର ତୁମୁଳୁ ରଣପ୍ରାଙ୍ଗଣେ,

ଉତ୍କଳର ଦୀନ ତନୟ-ଗଣେ,

ପଛରେ କେବେହିଁ ନ ପଡ଼ୁ ଦେବ,

ଶ୍ରୀଛାମୁରୁ ଏହି ଆଦେଶ ହେବ,

ଘେନି ଅପୂର୍ବ ଉତ୍ସାହ ଯେ,

ଭାରତର ମହା- ଜାତୀୟ ତରଙ୍ଗେ

ମିଶୁ ଉତ୍କଳ ପ୍ରବାହ ଯେ । ୮ ।

•••

 

ବାଣୀ

 

(୧)

ସୃଷ୍ଟି ଆଦ୍ୟ କାଳୁ ଦେବୀ ତୋହର ଉତ୍ପତ୍ତି,

ତୋର ନିତ୍ୟ ଲୀଳାଭୂମି ଅନନ୍ତ ଅପାର,

ଅନନ୍ତ ଅଦ୍ଭୁତ ଅତି ତୋ ମହାଶକତି,

ସହଜେ ବୁଝିବ କାହିଁ ତାହା ନର ଛାର ।

(୨)

ଅନଳେ ଆହୁତିଧାରା କରି ବରଷଣ,

ପୂତନୀରା ସରସ୍ୱତୀ-ପୁଳିନ ପ୍ରଦେଶେ

ଗାଇଲେ ସଙ୍ଗୀତ ଯେବେ ଆଦି ଋଷିଗଣ,

ପ୍ରକାଶିଲୁ ତହିଁ ମାତଃ କି ଶୁଦ୍ଧ ସୁବେଶେ !

(୩)

ସେ କାଳର ଶୁଦ୍ଧ ବେଶ ଦିବ୍ୟ ଭାବମାନ

ବିଭାସିଣ ଆଲୋକିଛି ସର୍ବ ବସୁନ୍ଧରା

ତମାବୃତ୍ତ କିନ୍ତୁ ଆଜି ଭାରତ-ସନ୍ତାନ,

ନ କରଇ କହ କିବା କାଳ ପରମ୍ପରା !

(୪)

ପଙ୍କଜ-ବାସିନୀ ଦେବୀ ନିତ୍ୟ ବୀଣାପାଣି,

ବାଅ ସେ ଅମର ବୀଣା କୃପା କରି ଥରେ,

ପ୍ରବେଶୁ ତା ଦିବ୍ୟନାଦ ମୃତସଞ୍ଜୀବନୀ

ମୃତ ପ୍ରାୟ ଭାରତର ହୃଦୟ-କନ୍ଦରେ ।

(୫)

ଭାରତେ ଉତ୍କଳ ପୁଣି ଅତି ଅଭାଗିନୀ,

ଧନେ, ଜନେ, ମାନେ, ଜ୍ଞାନେ, ବିକ୍ରମ, ସାହସେ;

ଆଦେଶେ ମା ଫୁଟି ତବ ଆବାସ-ନଳିନୀ

ଗୌରବ-ତପନେ ବରୁ ଉତ୍କଳ-ନଭସେ ।

(୬)

ମହାନନ୍ଦେ ବିହରିଣ ନିତି ଜ୍ଞାନ ବନେ

ଶାସ୍ତ୍ର-ସୁମନରୁ ସତ୍ୟ-ମକରନ୍ଦ ରାଶି

ଆହରିଣ ଭକ୍ତିଭରେ ହେ ସୁଧୀବନ୍ଦନେ !

ଖଟନ୍ତୁ ତୋ ପଦଯୁଗେ ଉତ୍କଳ-ନିବାସୀ ।

 

(୭)

ମୁଁ ଅତି ସାମାନ୍ୟ, ମୋର ସାମାନ୍ୟ କାମନା,

ପୁରୁ ମାତଃ ବାକ୍ୟ-ଦେବୀ ତୋହର ପ୍ରସାଦେ,

ବାସ୍ତବ ବିଶ୍ୱର ଯେତେ ନୀରସ ଘଟନା

ପ୍ରବେଶ ନ କରୁ କେବେ ମୋ ସୁଖ-ପ୍ରାସାଦେ ।

(୮)

ଆବର୍ଜ୍ଜନାମୟ ଏହୁ ସଂସାର-ଜଞ୍ଜାଳେ

କେବେ ପ୍ରପୀଡ଼ିତ ମୋର ନ ହେଉ ମାନସ,

କଳ୍ପନାର ସୁଖରାଜ୍ୟେ ଦେଖେ କାଳେ କାଳେ

ସ୍ୱର୍ଗୀୟ ସୁଷମା ଆଉ ସ୍ୱର୍ଗୀୟ ରହସ୍ୟ ।

•••

 

କବିତା

 

କି ମୋହନ ବେଶ ତୋର ହେ ସୁର-ସୁନ୍ଦରି !

କିଏସେ ଏପରି ଅଛି ଅହୃଦୟ ଜନ,

ତୋତେ ଦେଖି ନ ଯାଏ ଯା ଦୁଃଖ ଅପସରି,

ଆହ୍ଲାଦ-ଅମୃତେ ନୁହେ ପରିପ୍ଳୁତ ମନ ?

ଶୁଦ୍ଧ ସରଳତା ତୋର ବାହ୍ୟ ଆଭରଣ,

ଦିବ୍ୟ ରସମୟ ଭାବେ ଅନ୍ତର ପୂରିତ,

ବାହ୍ୟ ଦୃଶ୍ୟେ ବିମୋହିତ ଜନ ସାଧାରଣ,

ଅନ୍ତର ରସେ ମଗନ କେବଳ ପଣ୍ଡିତ ।

ପ୍ରକୃତିର ବିଚିତ୍ରତା ତୋ ପବିତ୍ର ଅଙ୍ଗେ,

ନାନାବିଧ ମାନବର ବିଭିନ୍ନ ସ୍ୱଭାବ,

ହୋଇଣ ପ୍ରତିଫଳିତ ଆହା କେଡ଼େ ରଙ୍ଗେ !

ଉପୁଜାଏ ହୃଦ-କ୍ଷେତ୍ରେ ନବ ନବ ଭାବ ।

ବିବେକ-ସଙ୍ଗିନୀ ଧନୀ କଳ୍ପନା-ସୁନ୍ଦରୀ

ଜ୍ଞାନଦାତ୍ରୀ ସଦାଶୟା ଭାବନା ସଙ୍ଗତେ,

ନିବସନ୍ତି ବେନି ପାଶେ ବେନି କର ଧରି

ଅନୁଗତ ପରିକରୀ ପରାୟେ ନିରତେ ।

ରଜୋଗୁଣମୟୀ ଦେବୀ, ବାଣୀ ସ୍ୱରୂପିଣୀ,

ନାନା ଭାବେ ନାନା ସ୍ଥାନେ ହୁଏ ତୋ ପ୍ରକାଶ,

ଏ ମୂଢ଼ ଅଜ୍ଞାନେ ଦୟା କର ଗୋ ଭାବିନି,

ପ୍ରକାଶୁ ଏ ପ୍ରାଣେ ପୁଣ୍ୟ ମଧୁର ଉଚ୍ଛ୍ୱାସ ।

•••

 

ଶମ୍ଭୁକର ବାଜପେୟୀ

 

କି ଭାଷାରେ ଦେବ, ଆମନ୍ତ୍ରିବି ତବ

ସ୍ଵର୍ଗୀୟ ଆତ୍ମାକୁ ଆଜ ?

ସୁଜ୍ଞାନୀ ଧାର୍ମିକ ଗୋତ୍ର ପ୍ରବର୍ତ୍ତକ

ହେ ଉତ୍କଳ-ଭରଦ୍ଵାଜ !

ତୁମ୍ଭ ବଂଶୋଦ୍ଭବ ବୋଲି ଗଉରବ

କରନ୍ତି ବିପ୍ର ଅନେକ,

ବର୍ଷ ଶତ ଶତ ହେଲେହେଁ ଅତୀତ

ଅଛି ତୁମ୍ଭ ନାମ ଟେକ ।

ବାଜପେୟ ଯାଗ କରି ମହାଭାଗ

ହେଲ ନିଜେ ପୂତପ୍ରାଣ,

ସ୍ମୃତି ତ୍ରୟୋଦଶେ ପ୍ରଚାରିଲେ ଦେଶେ

ବେଦ-ବିହିତ-ବିଧାନ ।

ଧର୍ମତତ୍ତ୍ଵେ ରତ ଥିଲେ ହେ ସତତ

ସାହିତ୍ୟ-ଶୋଭା-କାନନେ,

ମାନସ ମିଳିନ୍ଦ ତବ ମକରନ୍ଦ

ଚାଖି ଚଖାଇଲା ଜନେ ।

ରାଜ-ଅନୁଗ୍ରହ ରାଜ୍ୟ-ପ୍ରତିଗ୍ରହ

କରେ ବ୍ରହ୍ମତେଜ ନାଶ,

ମାନି ରାଜଦେଶ ତେଣୁ ତେଜି ଦେଶ

କଲ ଚିର କାଶୀବାସ ।

ତଥାପି ସ୍ଵଜନ- ମମତା-ବନ୍ଧନ

ହୃଦେ ଥିଲା ନିରନ୍ତର,

ତିରିଶ ବରଷେ ପେଷିଲ ସ୍ଵଦେଶେ

ଯୋଗ୍ୟ ସୁତ ବିଦ୍ୟାଧର ।

ବିସ୍ମୃତି-ତାମସ କରଇ ଗରାସ

ନର-କୀରତି-ନିଚୟ,

କିନ୍ତୁ ସାଧୁଭାବ ପବିତ୍ର ପ୍ରଭାବ

ପାଏ ନାହିଁ କେବେ ଲୟ ।

ହେ ସମାଜ-ନେତା, ତବ ସ୍ଵାଧୀନତା

ସ୍ଵଦେଶେ-ସ୍ୱଧର୍ମ-ପ୍ରୀତି,

ତେବେ କାହିଁ ଆଜ ସେ ଶକ୍ତି, ସେ ତେଜ

କିପାଁ ଏ ଘୋର ଅନିତି ?

ହେ ଉତ୍କଳ ଆଦି- ଋଷି ବ୍ରହ୍ମବାଦୀ,

କର ଏହି ଆଶୀର୍ବାଦ,

ପରକାଶୁ ତବ ପ୍ରଚ୍ଛନ୍ନ ପ୍ରଭାବ

ଘୁଞ୍ଚୁ ଜାତି-ଅବସାଦ ।

•••

 

ଭକ୍ତ କବିବର ଶ୍ରୀ ଜଗନ୍ନାଥ ଦାସ

 

ଉତ୍କଳର ବ୍ୟାସ ଜଗନ୍ନାଥ ଦାସ

ବିଷ୍ଣୁ ଅଂଶେ ଅବତାର,

ଭକତ-ପ୍ରଧାନ ଗୂଢ଼ ଦିବ୍ୟ ଜ୍ଞାନ

କଲ ସ୍ୱଦେଶେ ପ୍ରଚାର ।

ବେଦ-ମହୋଦଧି ବ୍ୟାସ ତପୋନିଧି

ମନ୍ଥି ଯେ ତତ୍ତ୍ୱ ସକଳେ,

ଉଦ୍ଧରି ପୁରାଣେ ନାନା ଉପାଖ୍ୟାନେ

ପ୍ରକାଶିଥିଲେ ସରଳେ ।

ସଂକ୍ଷିପ୍ତ ସଂସ୍କୃତ ଅମୁଲ୍ୟ ଆଧାରେ

ଥିଲା ସେ ଅମିୟ ରସ,

ସର୍ବେ ଦୁଃଖୀ ଧନୀ ପଣ୍ଡିତ ଅଜ୍ଞାନୀ

ନ ପାଇଲେ ସମ ଅଂଶ ।

ତେଣୁ ବାରସ୍କନ୍ଧ ‘ପ୍ରାକୃତ ପ୍ରବନ୍ଧ’

ଗୀତେ କଲ ପରକାଶ,

ଥିବାଯାଏ ଭାଷା ଗାଇବ ଓଡ଼ିଶା

“କହେ(କହଇ) ଜଗନ୍ନାଥ ଦାସ ।’’

ନୃପତି-ନବରେ କୃଷକ-କୁଟୀରେ

ଆଜି ଉଠେ ତୁମ୍ଭ ନାମ,

ଦିନ ଅବସାନେ ଶ୍ରମକ୍ଳାନ୍ତ ଜନେ

ଦେଉଛ ଶାନ୍ତି ଆରାମ ।

ବ୍ରାହ୍ମଣ ଚଣ୍ଡାଳ ପ୍ରେମେ ଏକମେଳ

ଧର୍ମଭାବେ ହୋଇ ମତ୍ତ,

ବିପଦେ ସମ୍ପଦେ ଗାଆନ୍ତି ଆନନ୍ଦେ

ସ୍ଥାନେ ସ୍ଥାନେ ‘ଭାଗବତ’ ।

ସୁକବି ପ୍ରଶଂସା ପାଇବାକୁ ଆଶା

ମନରେ ନ ଥିଲ ପୋଷି,

ତଥାପି ଉତ୍କଳ- ଭାବୀ କବିକୁଳ

ହେବେ ତୁମ୍ଭ ନାମ ଘୋଷି ।

ତୁମ୍ଭ ସମାଧିରୁ ଆହେ କବିଗୁରୁ !

କେତେ ଦାର୍ଶନିକ କବି

ଜନମିଣ କାଳେ ଉତ୍କଳ-ସାହିତ୍ୟେ

ଦେବେ ନବ ନବ ଛବି ।

କେତେ ଧର୍ମବୀର ଦେବେ ନିଜ ଶିର

ସ୍ୱଦେଶ ସ୍ୱଧର୍ମ୍ମ ହିତେ,

ଅସଂଖ୍ୟ ନାସ୍ତିକ ହୋଇବେ ପ୍ରେମିକ

ତୁମ୍ଭ ମଧୁମୟ ଗୀତେ ।

•••

 

ବଳରାମ ଦାସ

 

କି ମଧୁର ନାମ ଭକ୍ତ ବଳରାମ

ଉତ୍କଳବାସୀ-ଶ୍ରବଣେ,

ସାହିତ୍ୟ-ସଂସାରେ କଠୋର ସାଧକ

କାହିଁ ତୁମ୍ଭ ପରି ଜଣେ ?

ବାଲମୀକି ବ୍ୟାସ ଅନ୍ତର-ଉଚ୍ଛ୍ୱାସ

ଯମୁନା ଜାହ୍ନବୀ ପରି,

ପ୍ରୟାଗ ପରାଏ ଏକାଧାରେ କିଏ

ପାରେ ତୁମ୍ଭ ବିନେ ଧରି ।

‘ଗୀତା’ ଗୂଢ଼ ବାଣୀ ଲୋକରେ ବଖାଣି

ପ୍ରଚାରିଲ ତତ୍ତ୍ୱ ଜ୍ଞାନ,

ଧର୍ମ୍ମ ସାଧାରଣ କରିବା କାରଣ

କଲ ଆନ ଗୀତାମାନ(୧) ।

‘‘କମଳ ଲୋଚନ’’- କୋମଳ ବଚନ

ଶିଶୁମୁଖେ ଜିଣେ ବୀଣା,

ବୃଦ୍ଧ ଯୁବା ଯୋଗୀ ଭକ୍ତ ଅନୁରାଗୀ

ସର୍ବେ ତବ ପଦେ କିଣା ।

ଦୁର୍ଲ୍ଲଭ ସଂସ୍କୃତ- ଭାଣ୍ଡେ ଯେ ଅମୃତ

ରଖିଗଲେ ବାଲମୀକି,

କେବଳ କୋବିଦ ପାଇଲେ ଆସ୍ୱାଦ

ମିଲିଲା ନାହିଁ ସଭିଙ୍କି ।

ପତିତ ପାଷଣ୍ଡ ମୂଢ଼ ମୂର୍ଖ ଗଣ୍ଡ

ତୋଷିବାକୁ ମନେ ଭାଳି,

ମୃତ୍ତିକା ଆଧାରେ ଦେଲ ଦ୍ୱାରେ ଦ୍ୱାରେ

‘ରାମାୟଣ’-ସୁଧା ଢାଳି ।

ହୁଏ ମୋ ପ୍ରତୀତି ନୀଳାଚଳପତି

ଭକତ-ବନ୍ଧୁ ଠାକୁର

ଉତ୍କଳ-କଲ୍ୟାଣେ ଯୁଦ୍ଧ-ଅଭିଯାନେ

ଜିଣିଲେ ଯେ କାଞ୍ଚିପୁର ।

କବି ରୂପେ ପୁଣି ଅବତରି ବେନି (୨)

ଜଗନ୍ନାଥ, ବଳରାମ,

ଧର୍ମ୍ମ-କର୍ମ-ଦୀକ୍ଷା ସାହିତ୍ୟ ସୁଶିକ୍ଷା

ପ୍ରଚାରି ରଖିଲ ନାମ ।

ଏବେ ନୀଳାଚଳେ ରହିଛି ନିଶ୍ଚଳେ

ଦେଖି ଏ ଦଶା କିପରି ?

ଛାଡ଼ିଣ ଆସ୍ଥାନ ଆସ ଆର୍ତ୍ତତ୍ରାଣ !

ଚଳାଅ ଉତ୍କଳ-ତରୀ ।

 

(୧)

ନାମରତ୍ନ ଗୀତା, ଉଦ୍ଧବ ଗୀତା, ଗୁପ୍ତ ଗୀତା ଇତ୍ୟାଦି ।

(୨)

ଜଗନ୍ନାଥ ଦାସ ଓ ବଳରାମ ଦାସ ପଞ୍ଚସଖାରୁ ଯୋଡ଼ିଏ ସଖା । ଯେପରି ଚୈତନ୍ୟଙ୍କ ଶିଷ୍ୟମାନେ ଚୈତନ୍ୟଙ୍କୁ ଓ ରାମକୃଷ୍ଣ ପରମହଂସଙ୍କ ଶିଷ୍ୟମାନେ ପରମହଂସଙ୍କୁ ଅବତାର ବୋଲି ବିଶ୍ୱାସ କରନ୍ତି, ପଞ୍ଚସଖାଙ୍କର ସମ୍ପ୍ରଦାୟମାନେ ସେହିପରି ଜଗନ୍ନାଥ, ବଳରାମ, ଅନନ୍ତ, ଅଚ୍ୟୁତ, ଯଶୋବନ୍ତଙ୍କୁ ଅବତାର ବୋଲି ମାନନ୍ତି ।

•••

 

ସାରଳା ଦାସ

 

ତପସ୍ୱୀ ସତ୍ତମ ଭକ୍ତ ଅନୁପମ

ହେ ଭାରତୀ ଜ୍ୟେଷ୍ଠ ସୁତ !

ତବ ପରସାଦେ ସାହିତ୍ୟ-ସମ୍ପଦେ

ଆମ୍ଭେ ସର୍ବେ କୃତକୃତ୍ୟ ।

ଭାଷା ଆଦି କାଳେ ଅନ୍ଧାର ଉତ୍କଳେ

ସମୁଜ୍ଜ୍ୱଳ ନବ ରବି,

ପଣ୍ଡିତେ ପାଷଣ୍ଡେ ହାଟେ ବାଟେ ଦାଣ୍ଡେ

ଦେଖାଇଲ ଦିବ୍ୟ ଛବି ।

ମହାଭାରତର ଜଟିଳ ବିଚାର

ଧର୍ମ୍ମନୀତି ରାଜନୀତି,

ଦୈବ ବଳେ କଲ ସୁନ୍ଦର ସରଳ

ଶିଶୁକଣ୍ଠ-ଗେୟ ଗୀତି ।

ଓଜ ତେଜ ବଳ ଶକତି ଅତୁଳ

ପୂରିଛି ପଦ ପ୍ରବନ୍ଧେ,

ଭାବଗାମୀ ଭାଷା କଲ ମହାଯଶା

ବାନ୍ଧି ନୋହି ଛନ୍ଦୋବନ୍ଧେ ।

ତୁମ୍ଭ ବୀରବାଣୀ ସଂଗ୍ରାମ-କାହାଣୀ

ଶ୍ରବଣେ ଆଜି ଉତ୍କଳେ,

ଚିର ପରାଧୀନ କ୍ଷୀଣ ଜଡ଼ ପ୍ରାଣ

ଜାଗେ କ୍ଷଣ ନବବଳେ ।

ତୁମ୍ଭ ଗୀତେ ସିନା ଶକ୍ତିଶାଳୀ ସେନା

ହୋଇଣ କୃଷକପନ୍ତି,

ଜିଣି ଶତ୍ରୁଗଣେ ଉଡ଼ାଇଲେ ରଣେ

ଉତ୍କଳର ବୈଜୟନ୍ତୀ ।

ଉଠ ଶୂଦ୍ରମୁନୀ ! କେତେ କାଳ ତୁନୀ

ହୋଇ ରହିଥିବ ଆଉ,

ଭାରତ ତଇଳେ ନବ ଜ୍ଞାନ-ଦୀପ

ଜଳୁ ଥରେ ଦାଉ ଦାଉ ।

ଉଠୁ ଘରେ ଘରେ ଅକୁଣ୍ଠିତ ସ୍ୱରେ

ସ୍ୱାଧୀନ ସଙ୍ଗୀତ-ଧ୍ୱନି,

ଗାଆନ୍ତୁ ଉତ୍କଳେ ବୃଦ୍ଧ ଯୁବା ବାଳେ

“ଜୟ ଭାରତ ଜନନୀ’’ ।

•••

 

ଅନଙ୍ଗଭୀମ ଦେବ

 

ଭୀମ ପରାକ୍ରମ ହେ ଅନଙ୍ଗଭୀମ !

କିପରି ଯିବି ପରତେ

ରାଜ-ସିଂହାସନ ରାଜିଥିଲ ଦିନେ

ବିଶାଳ ଉତ୍କଳେ ସତେ ?

ସତେ କି ହେ ଛାମୁ ଅଗଣିତ ଚମୂ

ପଲକେ ହୋଇଣ ଠୁଳ,

ବୀର ଦର୍ପଭରେ ଅରାତି-ଅନ୍ତରେ

କରୁଥିଲ ଶଙ୍କାକୁଳ ?

ଏ କି ସେ ଉତ୍କଳ ଯାର ଉର୍ଜ୍ଜ୍ୱସ୍ୱଳ

ବିକ୍ରମୀ ବିରାଟ ଥାଟ,

ଜାତି ଗଉରବେ ଜିଣିଲେ ଆହବେ

ଦୂର ଗଉଡ଼ କର୍ଣ୍ଣାଟ ?

ଥିଲା କି ହେ ଦିନ ଯେବେ ପ୍ରଜାଗଣ

ପିତୃତୁଲ୍ୟ ସୁଶାସନେ,

ଧନ ଜ୍ଞାନ ବଳ ଅର୍ପିଲେ ସକଳ

ସ୍ୱଧର୍ମ୍ମ ଶ୍ରେୟଃ ସାଧନେ ।

ମିଥ୍ୟା ବୋଲି ଅବା କେମନ୍ତେ ବୋଲିବା

ଦେଖୁଁ ଏବେ ନିଜ ନେତ୍ରେ,

ଧରି ଦର୍ପ ଦମ୍ଭ ତୁମ୍ଭ କୀର୍ତ୍ତି-ସ୍ତମ୍ଭ

ରାଜେ ନୀଳାଚଳ କ୍ଷେତ୍ରେ ।

ନୀରବ ତାଡ଼ନା ପବିତ୍ର ପ୍ରେରଣା

ଦିଏ ନିଷ୍ପନ୍ଦ ଉତ୍କଳେ,

ଅତୀତ ବିଭୂତି- ଗଉରବ ସ୍ମୃତି

ଜଗାଏ ହୃଦେ ଉଜ୍ଜ୍ୱଳେ ।

ସ୍ମୃତି ବଳେ କୃତୀ ହୋଇ କେତେ ଜାତି

ଜଗତେ ଟେକନ୍ତି ମଥା,

କିମ୍ପା ସେ ବିଧାନ ପୁରାଣ-ପ୍ରଧାନ

ଉତ୍କଳ ପକ୍ଷେ ଅନ୍ୟଥା ?

ଉଠ ହେ ଉତ୍କଳୀ ! ଜଡ଼ତା-ଶିକୁଳି

ଫିଙ୍ଗିଣ ଦୂରେ ବହନ,

ଅମର ଭୁବନୁଁ ଶ୍ରୀ ଅନଙ୍ଗଦେବ

କରୁଛନ୍ତି ଆମନ୍ତ୍ରଣ ।

କର୍ଣ୍ଣ ଡେରି ଶୁଣ ସେ ଦିବ୍ୟ ଆହ୍ୱାନ

ସ୍ମର ପୂର୍ବ ଯଶ ବାରେ,

ପୂର୍ବ ବଂଶ ନାମେ ଶ୍ରୀ ଅନଙ୍ଗଭୀମେ

ପୂଜ ସୌର୍ଯ୍ୟ ଉପହାରେ ।

•••

 

ପୁରୁଷୋତ୍ତମ ଦେବ

 

ଅମିତ ବିକ୍ରମ ଶ୍ରୀ ପୁରୁଷୋତ୍ତମ

“କ୍ଷେତ୍ରକୁଳ ଧୂମକେତୁ"

ତବ ନାମ ଆଜ ଉତ୍କଳ ସମାଜ

ଜାତୀୟ ଗୌରବ ହେତୁ ।

ତୁମ୍ଭ ଯଶରାଶି ସାକ୍ଷୀରୂପେ ବସି

ବକୁଳ-ବନ-ବିହାରୀ

କରନ୍ତି ପ୍ରକାଶ ପୂର୍ବ ଇତିହାସ

ସତ୍ୟବାଦୀ ବଂଶୀଧାରୀ ।

ଯୁଦ୍ଧ-ଅଭିଯାନ କରେ କବି ଗାନ

ହେ ପ୍ରତାପୀ ଶତ୍ରୁଜେତା !

ତବ କାଞ୍ଚି ଜୟ ରଙ୍ଗେ ଅଭିନୟ

କରେ ଏବେ ଅଭିନେତା ।

ଗାଏ ଜନଶ୍ରୁତି ଅତୁଳ ବିଭୂତି

ଅନୁପମ ଭକ୍ତ ତବ,

ଯାର ବଳେ ନିଜେ ରଣେ ହେଲେ ବିଜେ

ସୈନିକ ରୂପେ କେଶବ ।

ସତେ କି ନୃମଣି ! ଉତ୍କଳ-ଧରଣୀ

ଥିଲା ଏଡ଼େ ତେଜସ୍ୱିନୀ,

ସତ୍ୟ କି ସକଳ ଅତୀତ ଉଜ୍ଜ୍ୱଳ

ଓଡ଼ିଆ ଗର୍ବକାହାଣୀ !

ଏକଛତ୍ର ତଳେ ଏକତାର ବଳେ

ଜିଣିଲା ଦିନେ ଯେ ଦେଶ,

ସ୍ୱାର୍ଥ ଅଭିମାନେ ଆଜି ତା ସନ୍ତାନେ

କରନ୍ତି ସୋଦର-ଦ୍ୱେଷ ।

ଦେଖି ଏ ଦୁର୍ଗତି ହୁଏ କି ପ୍ରତୀତି

ଉଡ଼ାଇ ବିଜୟ-ଧ୍ୱଜା,

ଉତ୍କଳ-କୁମରେ ଦେଶ ଦେଶାନ୍ତରେ

କମ୍ପାଇଲେ ଶତ୍ରୁ-ମଜ୍ଜା ।

କୃଷ୍ଣା ଗୋଦାବରୀ ଉତ୍ତୁଙ୍ଗ ଲହରୀ

ଉଛୁଳିଥିଲା ଯେ ନାଦେ,

ସେ ଶଙ୍ଖ ମହୁରୀ ଶିଙ୍ଗା ଭେରୀ ତୂରୀ

ନିଃଶଦ୍ଦ କି ଅବସାଦେ ?

ନ ରହିବ କେହି ଚିର ଦୁଃଖ ସହି

ବିଧିର ସୃଷ୍ଟି-ବିଧାନ,

ବାଜୁ ତେବେ ଢକ୍କା ତୁଟୁ ହୃଦୁଁ ଦକା

ଜାଗୁ ଉତ୍କଳ-ପରାଣ ।

•••

 

ଉପେନ୍ଦ୍ର ଭଞ୍ଜ

 

କବିକୁଳ କଞ୍ଜ ଉପଇନ୍ଦ୍ରଭଞ୍ଜ

ନମେ ତବ ପଦତଳେ,

କାବ୍ୟ-ସୁମାଧୁରୀ ଭାଷା-ସୁଚାତୁରୀ

ପରକାଶିଲ ଉତ୍କଳେ ।

ଜନ୍ମି ରାଜକୁଳେ ବଇଭବ କୋଳେ

ଅତୁଳ ସୁଖ-ସଦନେ,

ତେଜି ସେ ସମ୍ଭୋଗ ଆଚରିଲ ଯୋଗ

ବୀଣାପାଣି ଆରାଧନେ ।

ଅତି ମନୋହର ଚାରୁ ଚମତ୍କାର

ଶତ ମାନସୀ ପ୍ରତିମା,

କାବ୍ୟ ଚିତ୍ରପଟେ ଉଜ୍ଜ୍ୱଳେ ପ୍ରକଟେ

ତୁମ୍ଭ ପ୍ରତିଭା ଗରିମା ।

କଳ୍ପନାର କାଚେ ତବ ହୃଦ ଛାଞ୍ଚେ

ନବ ବର୍ଣ୍ଣେ ପ୍ରତିଫଳି,

ନବ ଅଳଙ୍କାରେ ଶୋଭେ କି ରୁଚିରେ

ପୁରାଣ ଘଟଣାବଳୀ ।

ହେ କବିଶେଖର ଭଞ୍ଜ ବୀରବର !

କୋଟି ଉତ୍କଳ-ସନ୍ତାନେ,

ଆଜି ନବଯୁଗେ ଧନ୍ୟ ଧନ୍ୟବାଦ

କରୁଛନ୍ତି ତୁମ୍ଭ ନାମେ ।

ଗାଏ ତୁମ୍ଭ ଗୀତ ସଭାରେ ପଣ୍ଡିତ

ପଥେ ପାନ୍ଥ ହୃଷ୍ଟମନା,

ବିଲେ ବୋଲେ ଚଷା ଅନ୍ତଃପୁରେ ଯୋଷା

ନୃତ୍ୟରଙ୍ଗେ ବାରାଙ୍ଗନା ।

କାଳ ବଳିଆର ଆଣଇ ସଂସ୍କାର

ନବ ରୁଚି ନବଜ୍ଞାନ,

କିନ୍ତୁ ‘ବୈଦେହୀଶ- ବିଳାସ’ ପାଇବ

କାଳେ କାଳେ ଉଚ୍ଚେ ସ୍ଥାନ ।

ସୃଜିଣ ସ୍ୱହସ୍ତେ ଓଡ଼ିଆଙ୍କ ଭାଷା

ଗଢ଼ିଛ ଓଡ଼ିଆ ଜାତି,

ତବ ଜନ୍ମସ୍ଥାନ ଓଡ଼ିଶାରୁ ଆନ

ଭାବିଲେ ବିଦରେ ଛାତି ।

ତଥାପି ଅନେକ ସାହିତ୍ୟ-ସେବକ

ଭାବୀ ଉତ୍କଳ ନନ୍ଦନ,

ପୁଣ୍ୟ ତୀର୍ଥ ମଣି ଘୁମୁସର ପଦେ

କରିବେ ନିତି ବନ୍ଦନ ।

•••

 

ସାମନ୍ତ ଚନ୍ଦ୍ର ଶେଖର *

 

ଉତ୍କଳ-ଭାସ୍କର ହେ ଚନ୍ଦ୍ରଶେଖର

ଋଷିପ୍ରଭ ମହାମତି,

‘ସିଦ୍ଧାନ୍ତ-ଦର୍ପଣେ’ ଦେଖି ଦେଖାଇଲ

ଚନ୍ଦ୍ର ତାରା ଗ୍ରହ ଗତି ।

ପାର୍ଥିବ ଶରୀରେ ରହିଛ ମହୀରେ

କିନ୍ତୁ ଏଥି ନାହିଁ ଦୃଷ୍ଟି,

ଦିବ୍ୟସୁଖେ ନିତି ନିରେଖ ବିଧାତା

ବିଚିତ୍ର ସ୍ଵରଗ ସୃଷ୍ଟି ।

ଯଶ ପ୍ରତି ଆଶା ଆହେ ମହାଯଶା

ନ ପୋଷ ହୃଦୟେ କ୍ଷଣେ,

ସତ୍ୟ ଲାଗି ସତ୍ୟ ନିଃସ୍ଵାର୍ଥେ ଖୋଜିଲ

ଆଜୀବନ ତ୍ରିଭୁବନେ ।

ପଡ଼ା ଖଣ୍ଡ ମଧ୍ୟେ ଅଲକ୍ଷିତେ ଦିନ

ଯାପିଲ ଧରଣୀ ହିତେ,

ପଡ଼ା ଖଣ୍ଡେ ସୁଦ୍ଧା ଉପହାର ଦେବା

କେହି ନ ବିଚାରେ ଚିତ୍ତେ ।

ଶୁକ୍ତିକା ଅନ୍ତରେ ମୌକ୍ତିକ ପରାଏ

ଉତ୍କଳେ ତୁମ୍ଭ ସମ୍ଭବ,

ଅଜ୍ଞାନ ଉତ୍କଳ ନ ଜାଣିଲା ଲବେ

ତୁମ୍ଭ ପ୍ରତିଜ୍ଞା-ବିଭବ ।

ସ୍ଵଦେଶର ଘୋର- ଜଡ଼ତା-ଅନ୍ଧାର

ରୋଧିଲା ପ୍ରଭା-ବିକାଶ,

ତଥାପି ବିଦେଶେ ଚିହ୍ନରା ଗ୍ରାହକେ

ଲଭିଲେ କ୍ଷୀଣ ଆଭାସ ।

ନିଜ ବୁଦ୍ଧିବଳେ ବିଜ୍ଞାନ ଆଲୋଡ଼ି

ପାଇଲା ସୁଦିବ୍ୟ ତତ୍ତ୍ଵ,

ଧନ୍ୟ ହେ ଯୋଗେଶ ! ରହୁ ତାଙ୍କ ଯଶ

ବୁଝିଲେ ତୁମ୍ଭ ମହତ୍ତ୍ଵ ।

ଅରଣ୍ୟ-ନିବାସୀ ଜ୍ଞାନ ଅଭିଳାଷୀ

ମୁନି ସମାନ ସରଳ,

କେଉଁ ମନ୍ଦ ଗ୍ରହ ଆବୋରିଛି କହ

ଉତ୍କଳର କର୍ମସ୍ଥଳ ?

‘ସିଦ୍ଧାନ୍ତ-ଦର୍ପଣେ’ ସ୍ଵଦେଶର କୋଷ୍ଠି

ଦେଖି କରି ଏକ ଲୟ,

କହ କହ କେବେ ଦୁର୍ଦ୍ଦଶା ଏହାର

ପାଇବ କି ସତେ କ୍ଷୟ !!

 

*

ଜୀବିତ ସମୟରେ ଲିଖିତ ।

•••

 

ସ୍ୱର୍ଗୀୟ ପଣ୍ଡିତ ହରିହର ଦାସ ଶର୍ମା *

 

ଆହେ ହରିହର ! ସୁଯୋଗ୍ୟ କୁମର

ଥିଲ ଉତ୍କଳମାତାର,

କି ମଙ୍ଗଳ କ୍ଷଣେ ଉତ୍କଳ-ଭୁବନେ

ହେଲା ତୁମ୍ଭ ଅବତାର !

ସମାଜ-ଦୁର୍ଗତି ସମୟର ରୀତି

ବୁଝିଥିଲ ତୁମ୍ଭେ ଏକା,

ସଂସ୍କାର-ବାସନା ସାଧୁ ପ୍ରାଣେ ସିନା

ତେଣୁ ଦେଇଥିଲା ଦେଖା ।

କେତେ ଉଚ୍ଚଭାବ ଲଭିଥିଲା ଠାବ

ତୁମ୍ଭ ଉଦାର ହୃଦୟେ,

କି କଲା ଦଇବ କେ ତାହା ସହିବ

ଚାଲିଗଲ ଅସମୟେ ।

ମୂକ ହୋଇକରି(୧) ଆଜିଯାଏ ହରି

ଯେବେ ରହିଥାନ୍ତ ବଞ୍ଚି,

ଓଡ଼ିଆଙ୍କ ହାତେ ଦେଉଥାନ୍ତ ସତେ

ଉନ୍ନତି-ଭଣ୍ଡାର-କଞ୍ଚି ।

ନବ୍ୟ ପୁରାତନ ରୁଚି ସମ୍ମିଳନ

କରିବ ଏବେ କିଏସେ ?

ଉତ୍ସାହ ଉଦ୍ୟମ ସାହସ ଅଦମ୍ୟ

କାହିଁ ଏ ଉତ୍କଳ ଦେଶେ !

ପାଞ୍ଚିଥିଲ ମନେ ତେଜିବେ ବ୍ରାହ୍ମଣେ

ଯେବେ ଚିର କୁସଂସ୍କାର,

ଅନ୍ୟ ଯେତେ ଜାତି ଉଠିବେ ଝଟତି

ହେବ ଉନ୍ନତି ପ୍ରଚାର ।

ନିଦାରୁଣ କାଳ କିନ୍ତୁ ଏ ସକଳ

ସହି ନ ପାରିଲା କ୍ଷଣେ;

ବନଫୁଲ ପରି ଅଚିରେ ବିକଶି

ଝାଉଁଳି ପଡ଼ିଲ ବଣେ ।

କିଶୋର ବୟସେ କେତେ ସ୍ଵାର୍ଥତ୍ୟାଗ

କରିଥିଲ ଦେଶ-ହିତେ,

ଏବେ ଦେଶ ଦଶା ଆହେ କ୍ଷଣଜନ୍ମା !

ନ ପଡ଼େ କି ଦିବ୍ୟ ଚିତ୍ତେ ?

ଉତ୍କଳମଣ୍ଡଳେ ନବ୍ୟ ସଭ୍ୟ ଦଳେ

ସର୍ବେ ଆଜି ସ୍ଵାର୍ଥପର,

ଆସ ହରିହର ପଣ୍ଡିତ ପ୍ରବର

ସମାଜ ସଂସ୍କାର କର ।

 

(୧)

ମରିବାର ଏକବର୍ଷ ପୂର୍ବରୁ ଏ ମହୋଦୟ ମୂକ ହୋଇଯାଇଥିଲେ ।

*

ଏ ଜଣେ ପୁରୀର ବିଖ୍ୟାତ ପଣ୍ଡିତ ଥିଲେ । ଏହାଙ୍କ ଯତ୍ନରେ ପୁରୀ ସଂସ୍କୃତ ବିଦ୍ୟାଳୟ ସଂସ୍ଥାପିତ । ଭାରତର ନାନା ସ୍ଥାନର ସଭାମାନଙ୍କରେ ଏ ନିଜ ଅସାଧାରଣ ବାଗ୍ମିତାର ପରିଚୟ ଦେଇଥିଲେ । ୩୫ ବର୍ଷ ବୟସରେ ମାନବଲୀଳା ସମ୍ବରଣ କରିବାରୁ ନିଜର ଉଚ୍ଚ କଳ୍ପନାମାନ କାର୍ଯ୍ୟରେ ପରିଣତ କରିପାରିଲେ ନାହିଁ ।

•••

 

କାଠଯୋଡ଼ୀ ତୀରେ ସାୟଂକାଳ (୧)

 

ଅତି ରମଣୀୟ କାଠଯୋଡ଼ୀ ତୀର,

ଧୀରେ ଧୀରେ ବହେ ଶୀତଳ ସମୀର ।

କଲ୍ଲୋଳିନୀ ବହୁ ସଲିଳ ସମ୍ପଦେ,

ପୂଜିବାକୁ ଧାଏଁ ମହାର୍ଣ୍ଣବ ପଦେ ।

ସ୍ତରେ ସ୍ତରେ ଉଠି ଉନ୍ନତ ଲହରୀ,

ପକାଏ ଉଠାଏ ପ୍ରତିକ୍ଷଣେ ତରୀ ।

ପାରିହେବା ଲୋକେ ମନେ କରି ଭୟ,

ଲଗାନ୍ତି ଆପଣା ଇଷ୍ଟଦେବ ଲୟ ।

ସୁଦକ୍ଷ ନାବିକ ବୁଦ୍ଧି କଉଶଳେ,

ଚଳାଏ ତରଣୀ ନିଜ ବାହୁବଳେ ।

ସାହସେ ଆହୁଲା ମାରେ ତରତର;

ନାକ ଫନ୍ଦିବାକୁ ନାହିଁ ଅବସର ।

ସାମାନ୍ୟ ଏ ନଦୀ ଏପରି ଦୁର୍ଗମ,

ଭବ-ସିନ୍ଧୁ ଆହା ନୁହେ କି ବିଷମ ।

ବିନା ଶ୍ରମ ଯତ୍ନେ କିଏ ହେବ ପାର,

ଦୁସ୍ତର ଅନନ୍ତ ଭବ-ପାରାବାର ?

ନୈତିକ ସାହସେ ହୋଇଣ ସାହାସୀ

କର୍ତ୍ତବ୍ୟ-ରୂପିଣୀ ତରୀ ପରେ ବସି ।

ବିବେକ-ଆହୁଲା ଅବିରତେ ମାର,

ହେବ ଯେବେ ଭବ-ମହାସିନ୍ଧୁ ପାର ।

ବ୍ରାହ୍ମଣ ଚଣ୍ଡାଳ ଧନେଶ ଭିଖାରୀ,

ଏକ ନାବେ ବସି ହେଉଛନ୍ତି ପାରି ।

ବିକାର କାହାରି ମନେ ନାହିଁ ଲବେ,

ଧର୍ମ-ନାବେ ସମ ଅଟନ୍ତି ସରବେ ।

ଧନ୍ୟ କାଠଯୋଡ଼ୀ ପ୍ରିୟ ଶୈବଳିନି,

ଧନ୍ୟ ପୂତନୀରା ତରଙ୍ଗମାଳିନି !

ତୋର ବଡ଼ ଦୟା ଅକିଞ୍ଚନ ଜନେ,

ଧର୍ମଭାବ ତେଣୁ ଉପୁଜାଉ ମନେ ।

ଅସ୍ତାଚଳେ ଏବେ ପ୍ରବେଶ ତପନ,

ଲୋହିତ ରଞ୍ଜିତ ପ୍ରତୀଚୀ ଗଗନ ।

ଅସ୍ତମିତ ରବି ହିରଣ୍ମୟ କର,

ପ୍ରତିବିମ୍ବି ମେଘେ ଦିଶେ କି ସୁନ୍ଦର !

କୃଷ୍ଣ ମେଘେ ପଡ଼ି କନକ କିରଣ,

ସୃଜିଛି ଆହା କି ବିଚିତ୍ର ବରଣ !

ଏପରି ମହତ ଜନର ପ୍ରଭାବ,

ଜନ୍ମାଏ ଅପର ପ୍ରାଣେ ନିଜ ଭାବ ।

ମହତ ଜନର ଲାଗି ଅଙ୍ଗ ଛାୟା,

ପବିତ୍ର ହୁଅଇ କ୍ଷୁଦ୍ର ପ୍ରାଣିକାୟା ।

କ୍ଷଣମାତ୍ର ହେଲେ ସଜ୍ଜନ ସଙ୍ଗତି,

ତୁଟେ ସିନା ସତେ ସଂସାର-ଦୁର୍ଗତି ।

ପାଣ୍ଡୁର ଶ୍ୟାମଳ କଳା ଧଳା ରଙ୍ଗେ,

କ୍ରମେ ନଭସ୍ଥଳ ଶୋଭିଲା କି ରଙ୍ଗେ ।

ଯେତେବେଳେ ଆସେ ଯେଉଁ ରୂପ ମନେ,

ଦିଶଇ ତକ୍ଷଣେ ସେ ଛବି ଗଗନେ ।

ପ୍ରତିଭାତ ହୋଇ ସେ ଛବି ସକଳ,

ସରିତ ଅନ୍ତରେ ଶୋଭେ ଅବିକଳ ।

ଆବର ଶ୍ୟାମଳ ଶୈଳ ପ୍ରତିରୂପ,

ନଦୀଗର୍ଭେ ଦିଶେ ଯଥା ତମ-ସ୍ତୂପ ।

ମହତ ଜନର ହୃଦେ ଏହି ମତି,

ଆଭାସେ ସତତ ଶତ ପ୍ରତିକୃତି ।

ପ୍ରେମ-ଭାବେ ଯାର ଅନ୍ତର ପୂରିତ,

ସର୍ବ ପ୍ରାଣୀ-ହୃଦ ତା ହୃଦେ ଅଙ୍କିତ ।

ସର୍ବ-ଅନୁଭୂତି ସର୍ବଭୂତେ ତାର,

ତା ଦୃଷ୍ଟିରେ ବିଶ୍ଵ ଏକ ପରିବାର ।

ସେହି ନିଜେ ବିଶ୍ଵ, ବିଶ୍ଵ ମଧ୍ୟ ସେହି,

ଅନ୍ୟ ହୋଇ ତାର ନାହିଁ ଆଉ କେହି ।

ଧନ୍ୟ ପ୍ରେମମୟି, ପ୍ରିୟ କଲ୍ଲୋଳିନି,

ଶତ ଶତ ପ୍ରାଣୀ ଆହ୍ଲାଦଦାୟିନୀ ।

ଧନ୍ୟ ଧନ୍ୟ ତୋର ପବିତ୍ର ଜୀବନ,

ଦେଖାଏ ମହାତ୍ମା ହୃଦ-ନିଦର୍ଶନ ।

ଚାହୁଁ ଚାହୁଁ ଏବେ ବୁଡ଼ିଗଲେ ରବି,

ତିରୋହିତ ହେଲା କ୍ରମେ ସବୁ ଛବି ।

କ୍ଷଣ ମଧ୍ୟେ ସେହି ସୁଦୃଶ୍ୟ ନିଚୟ,

ଅନ୍ଧକାର-ଗର୍ଭେ ଭଜିଲେ ବିଲୟ ।

ଘୋର ତମେ ମତେ ଛାଡ଼ିଦେଇ ଏକା,

ଚାଲିଗଲେ ଆଉ ଦେଲେ ନାହିଁ ଦେଖା ।

ଏହିପରି ସବୁ ସଂସାର-ବେଭାର,

ଘୋର ଅନ୍ଧକାରେ ଆପେ ଆପଣାର ।

ନୁହେ କେବେ ଚିରପ୍ରିୟ ବସ୍ତୁଗଣ,

ସଖା ମାତ୍ର ଏକା ଶ୍ରୀହରି ଶରଣ ।

•••

 

କାଠଯୋଡ଼ୀ ତୀରେ ସାଂୟକାଳ (୨)

 

ପଶ୍ଚିମ ଗଗନ କୂଳରେ

ଉପଗତ ତରଣୀ,

ଖର ଖରାତାପୁଁ ମୁକତ

ଏବେ ହେଲା ଧରଣୀ ।

ମୃଦୂଳେ ସୁଗନ୍ଧ ପବନ

କରେ ପ୍ରଦୋଷ ଖେଳା,

ମଧୁକାଳେ ଏହା ମଧୁର

ସନ୍ଧ୍ୟା-ବିହାର-ବେଳା ।

କ୍ଷୀଣ-ଅଙ୍ଗୀ କାଠଯୋଡ଼ୀର

ମନୋହର ପୁଳିନେ,

ପରମ ଉଲ୍ଲାସ ଅନ୍ତରେ

ଏବେ ଭ୍ରମିଲି ଦିନେ ।

ଅଦୂରେ ଶ୍ୟାମଳ ଶଇଳ

ଆହା କି ଶୋଭାବନ୍ତ !

ପ୍ରକୃତିଦେବୀ କି କରିଚି

ନଦୀ ଚାରୁ-ସୀମନ୍ତ !

ସୀମନ୍ତ ମଧ୍ୟରେ ସିନ୍ଦୂର-

ବିନ୍ଦୁ ସମ ବର୍ତ୍ତୁଳ-

ଅସ୍ତମିତ ରବିମଣ୍ଡଳ

ଦିଶେ କେଡ଼େ ମଞ୍ଜୁଳ ।

ନିଶୀ ଆଗମନେ ରସିକା

ରୂପବତୀ ପରାୟେ,

ଦିବ୍ୟ ବେଶ ସାଜି ତଟିନୀ

ସିନ୍ଧୁ ସଙ୍ଗମେ ଯାଏ ।

କ୍ରମେ ଚାଲିଗଲା ଏ ଛବି,

ରବି ହୋଇଲେ ଲୀନ,

ଆଗତ ପ୍ରଦୋଷ ସମୟ,

ଶେଷ ହୋଇଲା ଦିନ ।

ପାଣ୍ଡୁର ବରଣେ ରଞ୍ଜିତ

ହୋଇଅଛି ଗଗନ,

କି ଅବା ଏପରି ଦିଶଇ

ମୃତ-ଦିବା-ବଦନ ।

ଚକ୍ରବାଳ ମୂଳୁ କ୍ଷଣକ

ଅନ୍ତେ ହୋଇ ବାହାର,

ଧୂସରିତ କୃଷ୍ଣବରଣ

କଲା ସବୁ ସଂହାର ।

ଘଟୁଅଛି ନିତି ଏପରି

ଭବେ ଘଟନାଚୟ,

ଆଖି ବୁଜିଦେଲେ ସକଳ-

ବିଶ୍ଵ ଅନ୍ଧାରମୟ ।

କ୍ରମେ କ୍ରମେ ଏବେ ହୋଇଲା

ଆସି ମୁହଁ ଅନ୍ଧାରି,

କଳନାଦ ରଚି ସଧୀରେ

ବହେ ତଟିନୀ-ବାରି

ମୃଦୁ ଊର୍ମିପୁଞ୍ଜ ମଞ୍ଜୁଳ

ଦିଶୁଥିଲା କି ରଙ୍ଗେ,

ବାରି ନୁହେ ଏବେ ଯିବାରୁ

ମିଶି ତିମିର ଅଙ୍ଗେ ।

ଏହି ଦଶା ଦିନେ ଲଭିବ

ଖିଳ ବିଶ୍ଵମଣ୍ଡଳ,

ସର୍ବଗ୍ରାସୀ କାଳ-ଅନ୍ଧାରେ

ମଜ୍ଜିଯିବ ସକଳ ।

ଧନ୍ୟ କାଠଯୋଡ଼ି ! ତୋ ତୀରେ

ନିତି ଏପରି ଚିତ୍ର,

ଦେଖି କେଉଁ ମୂଢ଼ ମାନସ

ନ ହୁଅଇ ପବିତ୍ର ?

ଏହିପରି ନିତି ବିଲୋକି

ନବ ଛବିସକଳ,

କଠିନ ନାସ୍ତିକ ହୃଦୟ

ପ୍ରେମେ ହୁଏ ତରଳ ।

ତୋର ପ୍ରାଣପତି ସାଗର-

ତୀରେ ଅନେକ ବାର,

ପ୍ରଦୋଷ ସମୟେ ଆନନ୍ଦେ

କରିଅଛି ବିହାର ।

ଏତେ ନବ ଛବି କଦାପି

ଦେଖି ନ ଥିଲି ଥରେ,

ଗମ୍ଭୀର ଔଦାର୍ଯ୍ୟ ପ୍ରକାଶେ

ତହିଁ ସଦା ଅନ୍ତରେ ।

ବିଶ୍ଵପତିଙ୍କର ଅନନ୍ତ

ଶକ୍ତିହୃଦେ ପ୍ରକଟେ,

ପରିପୁଷ୍ଟ ହୁଏ ସେ ଭାବ

ଚାହିଁ ଗଗନ-ପଟେ ।

ନିତି ନିତି ଦେଖି ତୋ ତୀରେ

ନବ ଛବି ପଟଳ,

ଜାଣିଲି ସ୍ଵଭାବେ କାମିନୀ-

ହୃଦ ଅତି ଚପଳ ।

ହେଉ ପଛେ ଯେତେ

ମାନିନୀ ଗୁଣବତୀ ଯୁବତୀ,

ନବ ନବ ବେଶ ଭୂଷଣେ

ସଦା ବଳାଏ ମତି ।

ସୁଦୃଢ଼ ଗମ୍ଭୀର ନୁହଇ

ଯେଣୁ ନାରୀ-ହୃଦୟ;

ତେଣୁ ସିନା ନରେ ଅଟନ୍ତି

ନାରୀ ଜାତି ଆଶ୍ରୟ ।

ସୁକୋମଳ କ୍ଷୀଣ ବଲ୍ଲରୀ

ଲଭି ପାଦପ ସଙ୍ଗ,

ଆହା କି ପରମ ମଞ୍ଜୁଳ

ଦିଶେ ଉଭୟ ଅଙ୍ଗ ।

ତେବେ କିପାଁ ଏତେ ଯୁଝନ୍ତି

ସଭ୍ୟ ନାରୀ-ସମାଜ,

ପତିଗଣ ସଙ୍ଗେ ସର୍ବାଂଶେ

ସମ ହେବାକୁ ଆଜ ।

ରହିବ ବେନିଙ୍କ ପ୍ରକୃତି

ମଧ୍ୟେ ନିଶ୍ଚେ ଭିନ୍ନତା,

କିଏ ସେ କରିବ ଅନ୍ୟଥା

ଯାହା କଳ୍ପିଛି ଧାତା ।

ପ୍ରିୟ କଲ୍ଲୋଳିନି ! ତୋ ତୀରେ

ଆଜି କଲି ଲୋକନ,

ପବିତ୍ର-ସରଳ ଆଦର୍ଶ-

ନାରୀ ଶୁଦ୍ଧ-ଜୀବନ ।

ପତି ପାଦ-ସେବା କରିବା

ପାଇଁ ହେ ସ୍ରୋତସ୍ଵତି !

ଅକ୍ଷୁନ୍ନ ମାନସେ ସନ୍ତତ

କରୁ ଏକାନ୍ତେ ଗତି ।

ପରଶିବା ମାତ୍ରେ ତୋ ତନୁ

ସୁଶୀତଳ ସମୀର,

ଊର୍ମି ଛଳେ ଲାଜ ଭୟରେ

କମ୍ପିଉଠେ ତୋ ନୀର ।

କୁଳକାମିନୀର ଏପରି

ସିନା ମହତ ରୀତି,

ଲଜ୍ଜାବତୀ ହୋଇ ଏକାନ୍ତେ

କାନ୍ତେ ଆଚରେ ପ୍ରୀତି ।

ପ୍ରେମ ମଧୁରତା ସ୍ନେହାଦି

ସ୍ନିଗ୍‌ଧ ଭାବ ସକଳ,

ତୋ ସ୍ଵଚ୍ଛ ଜୀବନେ ଦେଖଇ

ଜ୍ଞାନୀ ନେତ୍ର କେବଳ ।

ନବ ନବ ବେଶ ଭୂଷଣେ

ତୁ ଯେ ବଳାଉ ମନ,

ଚପଳତା ସତ, ନୁହଇ

କିନ୍ତୁ ତାହା ଦୂଷଣ ।

ଦୁର୍ବଳ ପ୍ରକୃତି ଏପରି

ଯେତେ ନାରୀ ପରାଣେ,

ସଦ ବ୍ୟବହାରେ ବିମୁଖ

ନୁହେ ପ୍ରମୋଦ ଦାନେ ।

ଉଚ୍ଚ ନୀଚ ବୃତ୍ତି ସକଳ

ଯେବେ ସମେ ବିକାଶେ,

ପୂର୍ଣ୍ଣ ହୁଏ ନର, ସଂସାର-

ପୂରେ ସ୍ଵର୍ଗ ଉଲ୍ଲାସେ ।

•••

 

କାଠଯୋଡ଼ୀ ତୀରେ ଚନ୍ଦ୍ରାଲୋକ ନିଶୀଥ (୩)

 

ସୁଧାକର-କରଜାଳେ ବିଭୂଷିତା ମହୀ,

ଶାନ୍ତିଦେବୀ ପଦେ ଖଟେ ମନ୍ଦାନିଳ ବହି ।

ମାୟାବିନୀ-ନିଦ୍ରାବଳେ ଜଗତ ମୋହିତ,

ଆହା କି ସୁନ୍ଦର ବେଶେ ପ୍ରକୃତି ଶୋଭିତ !

ନାହିଁ ଏବେ ଦିବସର ଘୋର କଳନାଦ,

କ୍ଷୁଦ୍ରଚେତା ମାନବର ଜାତୀୟ ବିବାଦ ।

ନାହିଁ ଅଶାନ୍ତିରୂପିଣୀ ନୀଚ ନିଶାଚରୀ,

ସ୍ଵାର୍ଥପରତାର ଦୀର୍ଘ ଉଚ୍ଛ୍ଵାସ ଲହରୀ ।

ଆତ୍ମାଭିମାନର ନାହିଁ ଗମ୍ଭୀର ଶବଦ,

ଏକାବେଳେ ସର୍ବ ବିଶ୍ଵମଣ୍ଡଳ ସ୍ତବଧ ।

ସଂସାର ତୁମୁଳ ରଣ କ୍ଷଣେ ତିରୋହିତ,

ଗାଏ କି ସରିତ ତେଣୁ ସୁଶାନ୍ତି ସଙ୍ଗୀତ ?

ଅବ୍ୟକ୍ତ ଅବୋଧ୍ୟ ଅତି ସୁମଧୁର ତାନ,

କିବା ସେ ନିଗୂଢ଼ ତତ୍ତ୍ଵ ସାମବେଦ ଗାନ ।

ଅସଂଖ୍ୟ ତାରକାପନ୍ତି ଗଗନମଣ୍ଡଳେ,

ଶୁଣନ୍ତି ସେ ମହାଗୀତି ନୀରବ ନିଶ୍ଚଳେ ।

ମୂଢ଼ ଜ୍ଞାନହୀନ ମୁହିଁ କିଛି ନ ବୁଝଇ ,

ତେବେ ହେଲେ ମୋ ଅନ୍ତର ଉଲ୍ଲସି ଉଠଇ ।

ଦେଖି ଶାନ୍ତିମୟ ଦୃଶ୍ୟ ଶୁଣି ଏ ସୁସ୍ଵର,

ଅପୂର୍ବ ସ୍ଵର୍ଗୀୟ ସୁଖେ ପୂରେ ମୋ ଅନ୍ତର ।

ଜାଣିଲି ମାନବ-ହୃଦ ସଙ୍ଗେ ଆଦିକନ୍ଦ,

ସ୍ଥାପିଛନ୍ତି ପ୍ରକୃତିର ବିଚିତ୍ର ସମ୍ବନ୍ଧ ।

କିନ୍ତୁ ଦୁରାଚାରୀ ନର ମୂଢ଼ ନିରନ୍ତର,

ସେ ସଂଯୋଗ ଛେଦିବାକୁ ବଡ଼ ତତପର ।

ନୀଚ ବୃତ୍ତି ସକଳର ହୁଏ ଯେଣୁ ଦାସ,

ସୁନ୍ଦର ପ୍ରବୃତ୍ତିଚୟ ଲଭନ୍ତି ବିନାଶ ।

ଧନ୍ୟ ସେହି କୃଷିଜୀବୀ ଆଦି ଆର୍ଯ୍ୟଦଳ,

ଗାଇଲେ ଯେ ଆଦି-ତତ୍ତ୍ଵ ସଙ୍ଗୀତ ସରଳ ।

ଜଡ଼ ବସ୍ତୁ ହୃଦେ ଯେହୁ କଲେ ବିଲୋକନ,

ମହାଶକ୍ତି ମହାତେଜଃ ଅନାଦି କାରଣ ।

ଜନମିଥାନ୍ତି ସେ ଯୁଗେ ହେଲେ ମୁଁ ପାମର,

ସୁଖେ ସେବା କରିଥାନ୍ତି ପ୍ରକୃତି ପୟର ।

ବାହ୍ୟ ଆବରଣ ଫେଡ଼ି ପ୍ରକୃତି ଅନ୍ତରେ,

ଦିବ୍ୟ ଜ୍ଞାନନେତ୍ରେ ହେଲେ ଦେଖିଥାନ୍ତି ଥରେ ।

ଅପ୍ରାକୃତ ପ୍ରେମ-ରୂପ ସତ୍ୟ ସନାତନ,

ଅନନ୍ତ ବାସନା ହୋଇଥାଆନ୍ତା ପୂରଣ ।

ଧନ୍ୟ କାଠଯୋଡି !ଧନ୍ୟ ପ୍ରିୟ ଶୈବଳିନି !

ତାପିତ ହୃଦେ ତୁ ଶାନ୍ତି-ସୁଧା-ସଂଚାରିଣୀ ।

ସଂସାରର ଲଜ୍ଜା-ଘୃଣା-ପ୍ରବଞ୍ଚନା-ଜାଳେ,

ପ୍ରପୀଡ଼ିତ ହୁଏ ମୋର ମାନସ ଯେକାଳେ ।

ନିଭୃତେ ତୋ ତୀରେ ଆସି କଲେ ବିଚରଣ,

କି ମୋହନ ମନ୍ତ୍ରେ କରୁ ସକଳ ହରଣ ।

ବିବିଧ ସ୍ଵର୍ଗୀୟ ଚିନ୍ତା ନାନା ପ୍ରିୟ ଭାବ,

କଳୁଷିତ ହୃଦେ ମୋର କରାଉ ଉଦ୍ଭବ ।

ତୋର ପଦଯୁଗେ ମୁହିଁ ଚିରକାଳ ଋଣୀ,

ଏହି ଭାବ ଥାଉ ନିତି ହେ ସୁରତରୁଣି !

•••

 

ଭାର୍ଗବୀ ପ୍ରତି

 

ତେଜି ଅଶାନ୍ତି ନଗର ପାଶ

ଚାରୁ ପଲ୍ଲି-ପଥେ କଲୁ ବାସ

ବାର ବାଙ୍କ ଭ୍ରମି ହେଲୁ ପଥଶ୍ରମୀ

ଶେଷେ ସିନ୍ଧୁ ସଙ୍ଗେ ଗଲା ପ୍ରାସ, ଲୋ ତଟିନି ! । ୧ ।

କାହିଁ କୋମଳ ଶ୍ୟାମଳ ଘାସ

କାହିଁ କୃଷକେ କରନ୍ତି ଚାଷ

ତୋର ବେନି ତଟେ କାହିଁ ଅବା ଚାଟେ

ସୁଖେ ବୋଲନ୍ତି ସରଳ ରାସ, ଲୋ ତଟିନି ! । ୨ ।

ପଲ୍ଲୀ ପ୍ରାକୃତ ସରଳ କାନ୍ତି

ଉଦବେଗହୀନ ଦିବ୍ୟ ଶାନ୍ତି

ତୋର ଜଳଧାର- ଯୋଗେ ସୁଖତର

ହରେ ସହଜେ ସକଳ ଶାନ୍ତି, ଲୋ ତଟିନି ! । ୩ ।

ନାନାବିଧ ତରୁ ଗୁଳ୍ମ-ଲତା

ଫଳ-ଫୁଲ ପଲ୍ଲବେ ଆନତା

ଆବୋରି ତୋ ନୀରେ ରାଜେ ବେନି ତୀରେ

ପଲ୍ଲି ସତେ କି ଟେକିଛି ଛତା, ଲୋ ତତିନି ! । ୪ ।

ଦେଇ ଆପଣା ଶୁଦ୍ଧ ଜୀବନ

ତୋଷ କେତେ କେତେ ଜୀବଗଣ

ପର ହିତେ ଏକା ନିରନ୍ତର ବିକା

ଧନ୍ୟ ଧନ୍ୟ ତୋ ମହତପଣ, ଲୋ ତଟିନି ! । ୫ ।

ବର୍ଣ୍ଣିବାକୁ ତୋର ଗୁଣ ଗତି

ଛାର ମୋର କି ଅଛି ଶକତି

କିନ୍ତୁ ସ୍ରୋତସ୍ଵତି ! ସଦା ତୋହ ପ୍ରତି

ଥାଏ ମୋ ମନେ ସ୍ନେହ-ଭକତି, ଲୋ ତଟିନି ! । ୬ ।

ଦେଖି ନାହିଁ ମୁ ମାତୃବଦନ

ପାନ କରି ନାହିଁ ମାତୃସ୍ତନ

ହୋଇଣ ସଦୟ ଦେଇ ନିଜ ପୟ

ବଞ୍ଚାଇଲୁ ମୋ ଶିଶୁ-ଜୀବନ, ଲୋ ତଟିନି ! । ୭ ।

ଚିନ୍ତାବିହୀନ ବାଲ୍ୟ ସମୟେ

ବହୁ ଖେଳିଅଛି ତୋ ହୃଦୟେ

ମୋର କେତେ ଅଳି ଅଛି ତୁ ସମ୍ଭାଳି

ମନେ ଥିବ ଜୀବ ଯିବାଯାଏ, ଲୋ ତଟିନି ! । ୮ ।

ମୋର ପିତୃ-ପିତାମହଗଣ

କରି ତୋ ନୀରେ ସ୍ନାନ-ତର୍ପଣ

ଲକ୍ଷ୍ମଣ-ବନ୍ଦିତା- ଯାଗେଶ୍ଵରୀ ମାତା (୧)

ପଦେ ପୂଜିଥିଲେ ଅନୁକ୍ଷଣ, ଲୋ ତଟିନି ! । ୯ ।

ସୁକୋମଳ ବାଲି-ଶେଯେ ଶେଷେ

ବିଶ୍ରାମିଲେ ତୋ ପୁଳିନ ଦେଶେ

ପାପତାପ-ନାଶୀ ତୋର ବାରିରାଶି

ପୂତେ କରେ ପ୍ରତି ଗ୍ରୀଷ୍ମ ଶେଷେ, ଲୋ ତଟିନି ! । ୧୦ ।

ଆଜି ତୋ ପୂଜ୍ୟ ପ୍ରିୟ ଆକୃତି

ଦେଖି ଚିତ୍ତେ କେତେ ପୂର୍ବସ୍ମୃତି

ନବଭାବ ଧରି ଉଠି ଏହିପରି

ଅତି ଉଚ୍ଛନ୍ନ କରେ ମୋ ଧୃତି, ଲୋ ତଟିନି ! । ୧୧ ।

ରଙ୍ଗକରେ ଅସ୍ତଶିଖୁଁ ହରି

ପରଶନ୍ତେ ତୋ ବକ୍ଷେ ଲହରୀ

ତୋ ଶୈବାଳଦଳ ଏବେ କି ମଞ୍ଜୁଳ

ହେମ ପ୍ରବାଳ ବଲ୍ଲରୀ ସରି, ଲୋ ତଟିନି ! । ୧୨ ।

ଦେଖି ଏହା ମୋ ହୃଦ-ସରିତ

ଆଶା-ସମୀରେ ତରଙ୍ଗାୟିତ

ବିବିଧ ବରଣ କଳ୍ପନା କିରଣ

ସଜେ ତହିଁ ଦିବ୍ୟ ଚାରୁ ଚିତ୍ର, ଲୋ ତଟିନି ! । ୧୩ ।

କେତେ ରୁଚିର ସୁଖ ସ୍ଵପନ

ବିଲୋକଇ ମୋ ମନ-ନୟନ

ସାମାନ୍ୟ ଏ ଭବ ଦୂଷିତ ବିଭବ

କରେ ନାହିଁ ମୁଁ ତିଳେ ଗଣନ, ଲୋ ତଟିନି ! । ୧୪ ।

ତେଣୁ ତୋ ପଦେ କରେ ବିନତି

ଜୀବ ଥିବାଯାଏ ସ୍ରୋତସ୍ଵତି !

ଭବ-ଦୁଃଖ ନାଶି ଭାବ ରାଶି ରାଶି

ଚିତ୍ତେ ଜନ୍ମାଇବୁ ଏହି ମତି, ଲୋ ତଟିନି ! । ୧୫ ।

ପିଣ୍ଡ ପଡ଼ୁ ତୋ ସିକତା-ବାସେ

ଯାଗେଶ୍ଵରୀ ଜନନୀ ସକାଶେ

ପୁନ୍ନାଗ ବକୁଳ ନାନା ଜାତି ଫୁଲ

ଝଡ଼ି ପଡ଼ୁଥାଉ ଚଉପାଶେ, ଲୋ ତଟିନି ! । ୧୬ ।

ଅବଶେଷେ ମୋ ଜୀବନ-ନଦୀ

ମିଶି ତୋ ସଙ୍ଗତେ ନିରବଧି

ଲଭି ଚିର ଶାନ୍ତି ହରୁ ସର୍ବକ୍ଳାନ୍ତି

ଭେଟୁ ଅତଳ କାଳ-ଜଳଧି, ଲୋ ତଟିନି ! । ୧୭ ।

 

 

 

(୧)

ଭାର୍ଗବୀକୂଳରେ ଯାଗେଶ୍ୱରୀ ଦେବୀଙ୍କ ମନ୍ଦିର ଅଛି । ପ୍ରବାଦ ଅଛି, ଦଣ୍ଡକାରଣ୍ୟରେ ଭ୍ରମଣ କଲାବେଳେ ଲକ୍ଷ୍ମଣ ଏହାଙ୍କୁ ପୂଜା କରିଥିଲେ ।

•••

 

ଖଣ୍ଡଗିରି ଶିଖରେ

 

ଏହିକି ସେ ଖଣ୍ଡଗିରି ଯା ଶୋଭାସଙ୍କୁଳ,

ଏହିକି ସେ ଖଣ୍ଡଗିରି ଯାର ଫଳ ଫୁଲ,

ଏହିକି ସେ ଖଣ୍ଡଗିରି ଯାର ବିଜନତା,

ଏହିକି ସେ ଖଣ୍ଡଗିରି ଯାର ତରୁଲତା,

ବିମୋହିଲା ପୂର୍ବେ ବୌଦ୍ଧ ତାପସ-ମାନସ

ଶୋଭଇ ଶରୀରେ ଯାର ଏବେ ବୌଦ୍ଧ-ଯଶ ।

ବୌଦ୍ଧ-ମନ୍ତ୍ରାବଳି ଆଜି ଅମର ଅକ୍ଷରେ,

ଅଶୋକ-ଆଦେଶେ ରାଜେ ଯା ଶିଳା-ବକ୍ଷରେ ।

କାହାନ୍ତି ସେ ଯୋଗିବୃନ୍ଦ କାହାନ୍ତି ଅଶୋକ ?

କାହା ହୃଦ ଦେଖି ଏହା ନ କରିବ ଶୋକ ?

“ଅହିଂସା ପରମଧର୍ମ୍ମ’’ ଏ ମହା ମନ୍ତର,

ଗମ୍ଭୀର ଶବଦେ ଆଉ ନ ତୋଷେ ଅନ୍ତର

ଶୂନ୍ୟ ଗୁମ୍ପା ଅଭ୍ୟନ୍ତରେ ପଶିଣ ପବନ,

ମନ୍ତ୍ରନାଦ ସ୍ଥାନେ କରେ ସନ ସନ ସ୍ଵନ ।

ଅହୋ ବୃଦ୍ଧ ଖଣ୍ଡଗିରି ପୁରାଣ-ପ୍ରବୀଣ !

ଦେଖିଅଛ ଉତ୍କଳର କେତେ ଶୁଭ ଦିନ ।

ଉତ୍ସାହ, ଉଦ୍ୟମ, ଶକ୍ତି, ପ୍ରତିଭା, ବିଭବ,

ସାହସ, ବିକ୍ରମ, ଧୈର୍ଯ୍ୟ, ଜାତୀୟ ଗରବ,

ଉତ୍କଳର କେତେ କେତେ ଗୌରବ-କାହାଣୀ,

ଅତୀତ ଘଟନା ଦେଖି ସବୁ ଅଛି ଜାଣି ।

ଏହି ଯେ ସମ୍ମୁଖେ ଶୋଭେ ବିରାଟ ମନ୍ଦିର,

ଅନ୍ତରୀକ୍ଷ ମାପିବାକୁ ଟେକିଅଛି ଶିର ।

କାଳବଳେ ହୋଇଅଛି ବିବର୍ଣ୍ଣ ଶରୀର,

ତଥାପି ସ୍ଥବିର ତନୁ ଗମ୍ଭୀର ରୁଚିର ।

ଚଉପାଶେ ଦିଶେ କେତେ ଦେବାଳୟଚୟ

କାଳଗର୍ଭେ କେତେ ପୁଣି ଭଜିଲେଣି ଲୟ ।

କି ଅସୀମ ଶକ୍ତି କେତେ ବିପୁଳ ବିଭବେ,

କେତେ ଧର୍ମ୍ମ ଅନୁରାଗେ ଗଢ଼ା ଏ ସରବେ ।

ବେନି ମହାଧର୍ମ୍ମ, ଏଥି ସାମ୍ୟ ମୈତ୍ରୀ ଭାବେ,

ସମ୍ମିଳିତ ପରସ୍ପର ଅଦ୍ଭୁତ ପ୍ରଭାବେ ।

ଧର୍ମେ ଧର୍ମେ କିମ୍ପା ଦ୍ଵେଷ ବାଦ ଅହଙ୍କାର,

ଅତୀତ ଉତ୍କଳ ଆହା କି ମହା ଉଦାର !

ଧନ୍ୟ ଲଲାଟେନ୍ଦୁ ! ଧନ୍ୟ କେଶରୀ-ପୁଙ୍ଗବ !

ଉତ୍କଳର ପୁଣ୍ୟଶ୍ଳୋକ ଅମର-ଗୌରବ,

ଶୌର୍ଯ୍ୟ-ବୀର୍ଯ୍ୟ କଳା-କାବ୍ୟ ଧନ-ଜ୍ଞାନ-ମାନ

ଥିଲା ଯାଙ୍କ ସୁଶାସନ ପବିତ୍ର ବିଧାନ ।

 

କହି ତାଙ୍କ କଥା, ତାଙ୍କ ରାଜ୍ୟ ସମାଚାର,

ନିର୍ଜୀବ ଉତ୍କଳେ ପ୍ରାଣ କର ହେ ସଞ୍ଚାର ।

(ଅପୂର୍ଣ୍ଣ)

•••

 

କଟକର ଶିଳାସେତୁ

 

ସୁଦୃଢ଼ ସୁନ୍ଦର ଆରେ ଶିଳାସେତୁ,

ରହିଛି କଟକ ନଗର ତୋ ହେତୁ ।

ପ୍ରକୃତି-ପ୍ରଭାବେ ଦେଖାଉ ଭ୍ରୂକୁଟି,

କାଳବଳେ ଅଙ୍ଗ ଯାଇ ନାହିଁ ତୁଟି ।

ତରଙ୍ଗ-ପ୍ରହାର ସହୁ ଅନୁକ୍ଷଣେ,

ଶ୍ରମ ହରୁ ନଦୀ ଶୀତଳ ପବନେ ।

ଉଭା ହୋଇଅଛୁ ସୁଗମ୍ଭୀର ଦମ୍ଭେ,

ରାଜେ ବୃଦ୍ଧ ବପୁ ଯେସନ ପ୍ରାରମ୍ଭେ ।

କୋମଳ ଶୈବାଳ ଦଳେ କି ସୁନ୍ଦର,

ତୋର ଶିଳାମୟ ବୃଦ୍ଧ କଳେବର ।

ହେ ପ୍ରାଚୀନ ସେତୁ ! କରିଛୁ ଦର୍ଶନ,

କଟକ ନଗର ଉତ୍‌ଥାନ ପତନ ।

ତୁ ଅଟୁ କଟକ- ଇତିହାସ-ଜ୍ଞାତା,

ଫେଡ଼ି କହ କିଛି ଅତୀତର ଗାଥା ।

କେଶରୀ ବଂଶର ଶେଷ ରାଜଗଣ,

କଲେ ଯେବେ ଏହୁ ନଗର ସ୍ଥାପନ ।

କି ଉତ୍ସାହେ କହ ଏ ଉତ୍କଳ ଜାତି,

ଦେଶ-ହିତ ବ୍ରତେ ଉଠିଥିଲେ ମାତି ।

ମହାପରାକ୍ରମୀ ରାଜା ଚୋରଗଙ୍ଗ

ତୋର ଚଉପାଶେ କଲେ ଯୁଦ୍ଧରଙ୍ଗ ।

ଦେଖିଛ ସେଦିନ ଉତ୍କଳ-ବିକ୍ରମ,

ଉତ୍କଳବାସୀର ପ୍ରାଣାନ୍ତକ ଶ୍ରମ ।

ବାରବାଟୀ ଚଉଦୁଆର ବିନଷ୍ଟ,

ଦେଖି ଆଜି ମନେ ନ ପାଉ କି କଷ୍ଟ !

ଆକ୍ରମିଲେ ଯେବେ ଦୁର୍ଦ୍ଧର୍ଷ ଯବନ,

ବର୍ଷିଲା କମାଣ ଗୋଳା ଅଗଣନ ।

ନିଜ ବକ୍ଷେ ସବୁ ସହି ଅକାତରେ,

ସହଜେ ପୂରାଇ ନ ଦେଲୁ ନଗରେ ।

ସେ ଆଘାତ-ଚିହ୍ନ ଥିବ ଆଜିଯାଏ,

ସ୍ଥାନେ ସ୍ଥାନେ ତୋର ସୁବିପୁଳ କାୟେ ।

ଆଜିଯାଏ ଯେତେ ଏପରି ଘଟଣା,

ଅନୁଭବେ ସବୁ ଅଛି ତୋତେ ଜଣା ।

କହ କହ ସେତୁ, ସମସ୍ତ ବିସ୍ତାରି

ଶୁଣନ୍ତୁ ଉତ୍କଳ ସର୍ବ ନରନାରୀ ।

ହୀନବଳ ଏବେ ଉତ୍କଳ-ସନ୍ତାନ,

ହରାଇଅଛନ୍ତି ଆତ୍ମଶକ୍ତି-ଜ୍ଞାନ ।

 

ଜାଣିବେ ବା ଶୁଣି ପୂର୍ବ ବଡ଼ପଣ,

ସାଧୁ ଅନୁଷ୍ଠାନେ ଦେବେ ପ୍ରାଣମନ ।

•••

 

ବିଂଶ ଶତାବ୍ଦୀର ପ୍ରଥମ ଦିନ ବାରବାଟୀ ଦର୍ଶନ

 

ଊନବିଂଶ ଶତ ଖ୍ରୀଷ୍ଟ ଅବ୍ଦ ଗତେ,

ବିଂଶ ଶତ ଅବ୍ଦ ପ୍ରବେଶ ଜଗତେ ।

ଅନନ୍ତ ସମୟ ସାଗର-ଉଦରେ,

ଶତ ବର୍ଷ ଆହା ପଶିଲା କି ଖରେ !

କେତେ କେତେ ମନେ କେତେ କି ବାସନା,

ଅପୂର୍ଣ୍ଣ ରହିଲା,ନାହିଁ ଆଶ୍ୱାସନା ।

ନିରପେକ୍ଷ କାଳ ନ ଚାହିଁଲା କ୍ଷଣେ !

ଭବେ ତାର ପ୍ରିୟ ନାହିଁ କେହି ଜଣେ ।

କେତେ କାହା ହୃଦେ ଅପାର କଷଣ,

ନ ତୁଟି ଶୋଣିତ କରଇ ଶୋଷଣ ।

କାଳଠାରେ ନାହିଁ ଦୟା ମାୟା ଲେଶ,

କରିଯାଏ ଚାଲି ନିଜ କାର୍ଯ୍ୟ ଶେଷ ।

ଆସ ନବ ଯୁଗ ନବୀନ ବରଷ ,

ନବ ଦିନେ ଘେନି ଅଶେଷ ହରଷ ।

ବିଭୁ-ସ୍ୱର୍ଗଧାମୁଁ ସୁଖ ସମାଚାର,

ଆଣି ଏ ସଂସାରେ କର ହେ ପ୍ରଚାର ।

ବିଗତ ଶତାଦ୍ଦୀ ଘୋର ତାପ-ଜାଳ,

ସ୍ୱରଗର ଶାନ୍ତି-ଉଦକେ ପଖାଳ ।

ନନ୍ଦନ କାନନ ନବ ଫୁଲବାସ,

ଦୂଷିତ ଧରଣୀ ଧାମେ ପରକାଶ ।

ଦିବ୍ୟ ଭାବ ଦିଅ ମୋର ପିଣ୍ଡେ ଆଣି,

ପବିତ୍ର ଉତ୍ସାହେ ମତ୍ତ ହେଉ ପ୍ରାଣୀ ।

ଆବର ମାଗୁଛି ଯୋଡ଼ି କର ବେନି,

ଭାରତର ପୂର୍ବ ଯଶଃ ଆସ ଘେନି ।

ଭବରଙ୍ଗେ ଦିନେ ଯେହୁ ମହାରାଜ,

ଆହା ଦୀନହୀନ ଭିଖାରୀ ସେ ଆଜ ।

କର ହେଲେ ଏହା ଦେଖିଣ କରୁଣା,

ନବ ତେଜେ ଥରେ ବିକାଶୁ ପୁରୁଣା ।

ହେ କାଳ ! ତୁମ୍ଭେ ତ ସର୍ବ ଶକ୍ତିମନ୍ତ,

କିଏ ଜାଣେ କାହିଁ ତୁମ ଆଦି ଅନ୍ତ ।

କିଏ ସେ କଳିବ କେତେ ତୁମ୍ଭ ବଳ,

ହୁଏ ଯେଣୁ ଜଳେ ସ୍ଥଳ, ସ୍ଥଳେ ଜଳ ।

ଏହି ଯେ ସମ୍ମୁଖେ ବାରବାଟୀ ପଦା,

ଭାଙ୍ଗିଅଛି ଯହିଁ ଲକ୍ଷ ଲକ୍ଷ ଗଦା ।

ଥିଲା ଯେହୁ ବୀର-ବିହାର-ପ୍ରାଙ୍ଗଣ,

ଭ୍ରମେ ତହିଁ ଆଜି ଶ୍ୱାନ-ଶିବାଗଣ ।

ଶୁଭ ଶୈଳ ସମ ବିଶାଳ ସଉଧ,

ଶିର ଟେକି ଦିନେ ଭେଦିଣ ବଉଦ ।

ଗମ୍ଭୀର ଗରବେ ହୋଇଥିଲା ଠିଆ,

ଦେଖି ଯାହା ଥରୁଥିଲା ଶତ୍ରୁ-ହିଆ

ଆହା ଏବେ ତହିଁ ସ୍ତୂପାକାରେ ମାଟି,

ବିଲୋକି ହୃଦୟ ଯାଏ ସିନା ଫାଟି !

ଥିଲା ଯହିଁ କାଳେ ଗଭୀର ପରିଖା,

ଟେକିଛି କୋମଳ ଶସ୍ୟ ତହିଁ ଶିଖା ।

କାହିଁ ସେ କମାଣ ଅଶନି ଶବଦ,

ଶୁଣି ଯହା ଶତ୍ରୁ ଶ୍ରବଣ ସ୍ତବଧ ।

ବୀରମଜ୍ଜ-ତେଜା ବାଜା କାହିଁ ଆଜି ?

କାହିଁ ସେ ଅଦ୍ୟମ କରୀ ବାଜିରାଜି ?

ହେ କାଳ ! ତୁମ୍ଭରି ଗର୍ଭେ ସବୁ ଲୀନ,

ଶୁଭଗା ଉତ୍କଳ ଆଜି ଦିନହୀନ ।

ହେ କାଳ ! ତୁମ୍ଭରି ଅଟଳ ଆଦେଶେ,

ଘୋଟିଛି ଦୁର୍ଗତି ଏ ଉତ୍କଳ ଦେଶେ ।

ଆଲୋ ସ୍ରୋତସ୍ୱତୀ ସତୀ ଚିତ୍ରୋତ୍ପଳା !

(ଯା ଘେନି ଉତ୍କଳ ‘ସୁଜଳା ସୁଫଳା’ ।)

ପିଅଇ ଆପଣା ସୁଧା ସମ ପୟ

ବଢ଼ାଇଥିଲୁ ଯେ ବୀର ଶୂରଚୟ ।

କିପରି ଦେଖିଲୁ ତାହାଙ୍କ ନିଧନ ?

ଦେଖି ପୁଣି ସତେ ପାଇଲୁ ଜୀବନ !

ଦେଖିଲୁ କିପରି କହ ସେ ଦୁର୍ଦ୍ଦିନ,

ବାରବାଟୀ ଯେବେ ହେଲା ଶିରୀହୀନ !

କରାଳ କଲ୍ଲୋଳେ କରି ଘୋର ନାଦ,

ରିପୁକୁଳ-ହୃଦେ ଆତଙ୍କ ପ୍ରମାଦ ।

ଜନ୍ମାଇଲୁ ନାହିଁ କିମ୍ପା ଲୋ ଜନନୀ,

ରହିଲା କିପରି ସ୍ଥିର ତୋ ଧମନୀ ?

ଧରିଣ ପ୍ରଳୟ ଭୀମ ରଣବେଶ,

ଶତ୍ରୁଦଳେ କିମ୍ପା ନ କଲୁ ନିଃଶେଷ ?

ଅବା କିମ୍ପା ତୋର ଭୀଷଣ କବଳ,

ଗରାସିଲା ନାହିଁ ଏହୁ ରଙ୍ଗସ୍ଥଳ ?

ବାରବାଟୀ ଲଭି ତୋ ହୃଦେ ଆରାମ ,

ଭବୁଁ ଲୁଚିଥାନ୍ତା ବାରବାଟୀ ନାମ ।

ସେ କାଳେ ସ୍ତମ୍ଭିତ ହେଲା ତୋର ଗତି ,

ତୁ କାହିଁ ଲଙ୍ଘିବୁ ସମୟ-ନିୟତି ?

ମହାବଳୀ ଧନ୍ୟ ଧନ୍ୟ ତୁମ୍ଭେ କାଳ !

କେ ଲଙ୍ଘିବ ତୁମ୍ଭ ତୀକ୍ଷ୍‌ଣ କରବାଳ ?

ଥିଲା ଯେବେ କିଛି ଉତ୍କଳର ଦୋଷ,

ଦୋଷ ଅନୁମତେ କରିଅଛ ରୋଷ ।

ହୋଇଅଛି ଶାସ୍ତି କଷଣ ଅପାର,

ନ କର ଅଧିକ ଆଉ ଛାରଖାର ।

ଏଣିକି କରୁଣା ଅଟଇ ବିହିତ,

ସାଧା ନବଯୁଗେ ଉତ୍କଳର ହିତ ।

ଉତ୍କଳ-ତନୟେ ଦିଅ ନବ ବଳ,

ଉତ୍କଳ-ପାଦପେ ରସମୟ ଫଳ ।

ଉତ୍କଳ-ସରିତେ ପବିତ୍ର ଜୀବନ,

ଉତ୍କଳ-କାନନେ ସ୍ୱର୍ଗୀୟ ସୁମନ,

ଉତ୍କଳ-ଆକାଶେ ନବ ଯଶଃ ରବି,

ଉତ୍କଳ-ପ୍ରକୃତି ଧରୁ ନବ ଛବି ।

•••

 

ବାଲିଯାତ୍ରା ସନ୍ଧ୍ୟାରେ-ମହାନଦୀ ତୀରେ

 

ସୁନ୍ଦର ଶରଦ ସନ୍ଧ୍ୟା ସୁନୀଳ ଆକାଶେ,

ଚାରୁପୂର୍ଣ୍ଣ ଶଶଧର ଉଜ୍ଜ୍ଵଳେ ବିଭାସେ ।

କୋମଳ ମୟୂଖ ମାଳେ ହସିଉଠେ ମହୀ,

ସରସ ସରୀତ-ବକ୍ଷ କମ୍ପେ ରହି ରହି ।

ଖେଳେ ତଥିପରେ ଶତ ଶତ ଜ୍ୟୋତ୍ସ୍ନାଧାରା,

ନାଚେ ନଦୀଗର୍ଭେ ଶଶୀ ସହ ଶତ ତାରା ।

ପୁଲକେ ପୂରିତ ଏବେ ହୁଅଇ ଅନ୍ତର,

ପ୍ରକୃତିକି କରିଅଛି ମୋହନ ମନ୍ତର ?

ଠୁଳ ହୋଇଛନ୍ତି ଏଥି ବହୁ ଶତ ଜନ,

ଏ ଛବି ନିରେଖେ ନାହିଁ କାହାରି ନୟନ ।

ନାନା ରଙ୍ଗେ ମାତି ଏବେ ହୋଇଛନ୍ତି ଭୋଳ,

ତେଣୁ ଶୁଭେ ଏଡ଼େ ଘୋର ମୁଖରାବ ଗୋଳ ।

ବାଜେ ଶଙ୍ଖ, ବାଜେ ଘଣ୍ଟ, ପଡ଼େ କରତାଳି,

ମୃଦଙ୍ଗ ମନ୍ଦିରା ବାଜେ, ଶୁଭଇ କାହାଳୀ ।

ଧର୍ମ୍ମ ନୃତ୍ୟେ ହୋଇଛନ୍ତି ମତ୍ତ ବହୁ ଜନ,

ଏ ନୃତ୍ୟରେ କିନ୍ତୁ ଆହା ନାହିଁ ତ ଜୀବନ !

ଶୁଣି ଏହି ସଂକୀର୍ତ୍ତନ ନାଚେ ନାହିଁ ପ୍ରାଣ,

ବିଗଳିତ ନୁହେଁ ହୃଦ ଶୁଣି ଏହୁ ଗାନ ।

ଅନ୍ତରେ ସଞ୍ଚରେ ନାହିଁ ଲବେ ଧର୍ମଭାବ,

କେ କହିବ ଏ ସଙ୍ଗୀତେ ଅଛି କି ଅଭାବ ?

ଏହି ତ ସେ ମହାନଦୀ ଯାହାର ପୁଳିନେ,

ଏହି ତ ସେ ବାରବାଟୀ ଯହିଁ ଆହା ଦିନେ,

ବାଜି ତୂରୀ ଭେରୀ ଶିଙ୍ଗା ଘୋର ଘନ ଘୋଷେ,

ଉତ୍ତେଜିଲା ପ୍ରତି ପ୍ରାଣ ସାହାସେ ସରୋଷେ ?

ବିପୁଳ ବିକ୍ରମ ସ୍ରୋତେ ପ୍ରତି ହୃଦସ୍ଥଳୀ,

ପ୍ଳାବି ଦେଶହିତେ ଦେଲା କେତେ ଆତ୍ମବଳି ।

ସେ ଦିନର ତେଜଃପୁଞ୍ଜ ଉତ୍ସାହ ଶକତି,

ସ୍ୱଦେଶ ସ୍ୱଧର୍ମ ପ୍ରତି ଅଟଳ ଭକତି,

ଭାସି ଯାଇଅଛି ସିନା ସମୟ-ତରଙ୍ଗେ,

ଭାସିଯାଏ ଫେନ ଯଥା ମହାନଦୀ-ଅଙ୍ଗେ ।

ଜଗତର ସାକ୍ଷୀ ତୁମ୍ଭେ ଦେବ ନିଶାପତି,

ନଭୋ-ବର୍ତ୍ମେ ନିରନ୍ତର କର ଦିବ୍ୟ ଗତି ।

ଜଗତର ନାନା ସ୍ଥାନ କରିଛ ଦର୍ଶନ,

ନାନା ଜାତି ନାନା ଧର୍ମ ଉତ୍‍ଥାନ ପତନ ।

ପଡ଼େ ଯେହୁ ଥରେ ସେହୁ ଉଠେ ତ ଆବର,

ଶୟନର ଅନ୍ତେ ଯଥା ଆସେ ଉଜାଗର ।

ବାରବାଟୀ ଦଶା ଲଭି କେତେ ରସାତଳେ,

ଉଠିଅଛିଟି କି ସ୍ଥାନ ଅଭିନବ ବଳେ ।

ତେବେ କିମ୍ପା ବାରବାଟୀ ହେବ ଆଶାହୀନ ?

ତେବେ କିମ୍ପା ବାରବାଟୀ ବଦନ ମଳିନ ?

ଢାଳିଦିଅ ସୁଧାକର ଦିବ୍ୟ ସୁଧାଝରୀ,

ଉଠୁ ମହାନଦୀ-ବକ୍ଷେ ଉତ୍ତୁଙ୍ଗ ଲହରୀ ।

ଧୋଇ ବାରବାଟୀ-ମୁଖ କରୁ ସମୁଜ୍ଜ୍ଵଳ,

ଶୁଦ୍ଧ ଧର୍ମମଦେ ସର୍ବେ ହୁଅନ୍ତୁ ବିହ୍ୱଳ ।

ସଞ୍ଚରୁ ଏ ସଂକୀର୍ତ୍ତନେ ପବିତ୍ର ଉଚ୍ଛ୍ଵାସ,

କର୍ମବୀର, ଧର୍ମବୀର ହୁଅନ୍ତୁ ପ୍ରକାଶ ।

•••

 

ରେଳ ଉପରେ ଚିଲିକା-ଦର୍ଶନ

 

ରହ ରହ କ୍ଷଣେ ବାଷ୍ପୀୟଶକଟ,

ଦେଖିବି ଚିଲିକା ଚାରୁ ଚିତ୍ରପଟ ।

ଚିତ୍ର ମଣେ ଯେଣୁ ନାହିଁ ଅନୁଭବ,

ବାସ୍ତବ ବିଶ୍ୱେ କି ଏ ଛବି ସମ୍ଭବ ?

ନୀଳ ବୀଚିମାଳା ଧୀରେ ଧୀରେ ଯାଏ,

ଲାଗଇ ସ୍ୱପନେ ଦେଖିଲା ପରାଏ ।

ସନ୍ତରନ୍ତି ବକ୍ଷେ ପକ୍ଷୀ ଦଳ ଦଳ,

ଓଲଟିଣ ତଳେ ଦିଶନ୍ତି ଯୁଗଳ ।

ଘୋର ନାଦେ ଯହୁଁ ଉଠିଲେ ସେ ନଭେ,

ଉଠେ ଶତ ଖବ ଚିଲିକା-ଗରଭେ ।

ସତ୍ୟ ବୋଲି ମନେ ନ ହେଉ ପ୍ରତୀତ,

ପଲକେ ସେ ଦୃଶ୍ୟ ହୁଏ ତିରୋହିତ ।

ଦୂରେ ଘେନିଯାଏ ନିଦାରୁଣ ଯାନ,

ଆସେ ପୁଣି ତରୁ ଶିଳା ବ୍ୟବଧାନ ।

ନିମିଷେ ଲୁଚାଏ ନିମିଷେ ଦେଖାଏ,

ସ୍ୱପ୍ନଲଭ୍ୟ ପ୍ରିୟ ପ୍ରତିମା ପରାଏ ।

କାହିଁ ଦିଶେ ନୀଳ, କାହିଁ ସୁଶ୍ୟାମଳ,

କାହିଁ ବା ଧୂସର, କାହିଁବା ଧବଳ ।

ନାନା ସ୍ଥାନେ ନାନା ରଙ୍ଗେ ଦୀର୍ଘକାୟା,

ପ୍ରକାଶି ଚିଲିକା ! କରୁ କେତେ ମାୟା ।

ଦେବୀ ବୀଣାପାଣି ଶାଶ୍ୱତ ସେବକ

କବି ରାଧାନାଥ ସୁଷମା-ଗ୍ରାହକ,

ଭ୍ରମି ବହୁ ସ୍ଥାନ ବିଶାଳ ଭାରତେ,

ନଦ-ନଦୀ-ମରୁ-କାନନ-ପର୍ବତେ,

ଦେଖିଲେ ପ୍ରକୃତି ବିବିଧ ପ୍ରକାଶ,

କିନ୍ତୁ ଶୋଭାଲୁବ୍‌ଧ ଶୁଦ୍ଧ ଅଭିଳାଷ

ସୁଖ-ଶାନ୍ତି-ପ୍ରୀତି କାହିଁ ଏକାଧାରେ,

ନ ପାଇଲେ, ଯଥା ମିଳେ ତୋହଠାରେ ।

ଉତ୍କଳର ତୁହି ସୌନ୍ଦର୍ଯ୍ୟର ଖଣି,

ସାରସ୍ୱତ ନେତ୍ରେ ବାଛି ତହୁଁ ମଣି

ସୁଦକ୍ଷ ବିନ୍ଧାଣି ରଚି ଯେଉଁ ହାର

ଅର୍ପିଲେ ଉତ୍କଳ-ଭାରତୀ ଗଳାର,

ଚିରଦିନ ତାହା ରାଜିବ ରୁଚିର,

ତା ଦେଖି ଭାବୁକେ ଲୋଡ଼ିବେ ତୋ ତୀର

ମୁଁ ଅଧମ ମୋର ଭାବୁକତା ନାହିଁ,

ତଥାପି ଏ ପ୍ରାଣ କେ ଜାଣେ କିପାଇଁ

ନିରନ୍ତର ଲୋଡ଼େ ସୌନ୍ଦର୍ଯ୍ୟ ବ୍ୟାକୁଳେ,

ତେଣୁ ଭାବିଥିଲି ଆସି ତୋର କୂଳେ,

ଦେଖିବି ତୋ ଶୋଭା ଦିନେ ନିକାଞ୍ଚନେ,

କର୍ମ-ବନ୍ଧେ ଥିଲା ମନ କଥା ମନେ ।

ଏତେ କାଳ ଅନ୍ତେ ପଡ଼ିଥିଲା ଯୋଗ,

ଆହା ସେ ସୁଯୋଗ ହେଲା କାହିଁ ଭୋଗ !

ରହିଣ ଜଞ୍ଜାଳ ବିଷମ ଜଗତେ,

ସଂସାରୀ ସୋଦର ବାନ୍ଧବ ସଙ୍ଗତେ ।

ଇଚ୍ଛାମତେ କାହୁଁ ଚଳିବ ବା ଜନ ?

ସମାଜେ ନିଜର ନୁହେ ନିଜ ମନ ।

ବସି କେତେ ଥର ନୀରବ ବିଜନେ

ଦେଖିଛି ତୋ ରୂପ କଳ୍ପନା-ନୟନେ ।

ତୋ ନୀଳ ତରଙ୍ଗେ ଖେଳେ ନିରନ୍ତର,

ଅନୁପମ ଦିବ୍ୟ ହିରଣ୍ମୟ କର ।

ଚାରୁ ଶକ୍ରଚାପ ତୋର ବକ୍ଷସ୍ଥଳେ,

ନାଚେ ଶତ ଶତ ମୋ କଳ୍ପନା ବଳେ ।

କଳ୍ପନାଚିତ୍ରିତ ତୋ ସୁନ୍ଦର ତନୁ,

କାଳେ କାଳେ ଆଉ ନ ଯିବ ମୋ ମନୁ

ଆଜି ଲୋ ଚିଲିକା ! କଳ୍ପନା ପ୍ରଭାବେ,

ପୂରଇ ମୋ ମନ ଆହା କେତେ ଭାବେ ।

ଅତୀତର ସୁଖ ସ୍ମୃତି ସମୁଚ୍ଚୟ,

ହର୍ଷ-ଖେଦେ କରେ ଆକୁଳ ହୃଦୟ ।

ତୋ ମଧୁର ନାମେ ରହିଛି ଜଡ଼ିତ,

ଗଉରବଯୁତ ଉତ୍କଳ-ଅତୀତ ।

କାହିଁ ଉତ୍କଳର ସେ ସୁକୃତରାଶି ?

ଯାହାର ପ୍ରଭାବେ ପ୍ରଭୁ ବ୍ରହ୍ମରାଶି

ନିଜେ ନିରଞ୍ଜନ ଜଗତ-ଈଶ୍ୱର,

ଧରିଣ ସୈନିକ ନର କଳେବର,

ଉତ୍କଳର ଯଶ ପ୍ରତିଷ୍ଠା ରକ୍ଷଣେ,

ବିଜେ କଲେ ଘୋର ସମର-ପ୍ରାଙ୍ଗଣେ ।

କାହିଁ ସେ ସୌଭାଗ୍ୟ କାହିଁ ସେ ସୁକୃତ ?

ପବିତ୍ର ଉତ୍କଳ ଆଜି କି ବିକୃତ !

ଆର୍ଯ୍ୟ ଧର୍ମକ୍ଷେତ୍ର ପୂତ ନୀଳାଚଳ

ହରାଇଛି ସବୁ କର୍ମ-ଧର୍ମ-ବଳ ।

ନାହିଁ ମୁଖେ ତେଣୁ ପୂର୍ବ ଧର୍ମକାନ୍ତି,

ହୃଦୟେ ସ୍ୱର୍ଗୀୟ ଧର୍ମଜାତ ଶାନ୍ତି,

ଜୀବନେ ପବିତ୍ର ଉତ୍ସାହ ଶକତି,

ଉତ୍କଳର ଆହା କି ଘୋର ଦୁର୍ଗତି !

କାହିଁ ଗଲା ପୂର୍ବ ଓଡ଼ିଆ ବୋଇତ ?

କାହିଁ ସେ ନାବିକ କର୍କଶ ସଙ୍ଗୀତ ?

ଜଳପଥେ କାହିଁ ବିଦେଶ ଗମନ ?

କାହିଁ ପୂର୍ବ ଖ୍ୟାତି କାହିଁ ପୂର୍ବ ଧନ ?

କଥାରେ ରହିଛି ସବୁ ଆଜିଯାଏ,

ସାଧବାଣୀ ବୋହୂ ବୋଇତ ବନ୍ଦାଏ ।

କଙ୍କରିତ ତୋର ଦୃଢ଼ ରମ୍ୟ ତଟ,

ଦୁର୍ଗମ ଶଇଳ ଅଭେଦ୍ୟ ସଙ୍କଟ ।

ଖେଳାଉଥିଲେ ଯେ ଧରି ନିଜ ଦେହେ,

ଉତ୍କଳର କେତେ ବୀର ଶିଶୁ ସ୍ନେହେ ।

ଅଛି ସେହି ଗିରି ଅଛି ସେ ବିପିନ,

ଅଛି ତୋର ଶିଳା ସୁଦୃଢ଼ ପୁଳିନ,

କିନ୍ତୁ କାହିଁ ଆହା ଏବେ ସେ ବୀରତା ?

ଓଡ଼ିଆ ଜାତିର ପୂର୍ବ ଜାତୀୟତା ?

•••

 

ଗଞ୍ଜାମ ଜାତୀୟ ସମିତି

 

(୧)

ଅନ୍ଧାର ଉତ୍କଳ-ନଭେ

ଏବେ ଶୁଭଦିନେ,

ଉଇଁଛି ଉଜ୍ଜ୍ୱଳ ଆଶା-

ତାରକା ଦକ୍ଷିଣେ;

ନବୋଦିତ ଯୋଗୁଁ ପ୍ରଭା

ଅଳପ ବିକାଶ

ତଥାପି ଢାଳଇ ପ୍ରତି

ପରାଣେ ଆଶ୍ୱାସ ।

ଉତ୍କଳ ଜାତୀୟ ପୋତ

ସୁନିଶ୍ଚିତ ପଥ,

ଦେଖାଇବ ଏହି କ୍ଷୁଦ୍ର

ତାରକା ସନ୍ତତ ।

ଓଡ଼ିଆ ଜାତିର ଏହା

ହେବ ଧ୍ରୁବତାରା

ନାଶି ତମଃ ପ୍ରକାଶିବ

ଯଶଃ ଜ୍ୟୋତିଧାରା ।

(୨)

ଦିନେ ଚାଲି ଯାଇଅଛି

ଆହା ସେ ସୁଦିନ ।

ସୁଭଗା ଉତ୍କଳ ତେଣୁ

ଆଜି ଦୀନହୀନ ।

ଦିନେ ଯେଉଁ ଧ୍ରୁବତାରା

କାଞ୍ଚି ଯାତ୍ରାକାଳେ,

ଚିଲିକାର ଚାରୁବକ୍ଷେ

ନୀଳ ଊର୍ମିମାଳେ,

ଚଳାଇଲା ଶତ ଶତ

ଓଡ଼ିଆ ବୋଇତ,

ଜାତୀୟ ସମିତିରୂପେ

ଆଜି ସେ ଉଦିତ ।

(୩)

ଧନ୍ୟ ହେ ଗଞ୍ଜାମବାସୀ

ଓଡ଼ିଆ ସକଳ !

ଧନ୍ୟ ତୁମ୍ଭ କଉଶଳ,

ଧନ୍ୟ ତୁମ୍ଭ ବଳ ।

ରାଧାକୃଷ୍ଣ ପ୍ରେମ କଥା

ମଧୁର ସଙ୍ଗୀତେ,

ତନ୍ତ୍ରୀମୁଖେ ବଳଦେବ

ଯହିଁ ଶୁଦ୍ଧଚିତ୍ତେ,

ଯହିଁ ମହାକବି ଭଞ୍ଜ

ଶ୍ରୀରାମ ଚରିତ,

ଗାଇଲେ ପ୍ରଥମ ଦିବ୍ୟ

ରସମୟ ଗୀତ ।

ରାମକୃଷ୍ଣ ପଦ ଲାଗି(୧)

ଯାର ଧୂଳି ପୂତ

ତୁମ୍ଭେମାନେ ସେ ଗଞ୍ଜାମ-

ଉପଯୁକ୍ତ ସୁତ ।

(୪)

ଦେଖାଇଲେ ଯେ ଉତ୍ସାହ

ଉଦ୍ୟମ ଶକତି,

ମାତୃଭାଷା, ମାତୃଭୂମୀ

ଅଟଳ ଭକତି,

ଦେଲ ଯେ ଜାତୀୟ ଭାବ

ଦୃଢ଼ ପରିଚୟ,

ଚିରଦିନ ଗାଇବେ ତା

ଉତ୍କଳ-ତନୟ;

ଉତ୍କଳର ଇତିହାସେ

ପାଇବ ତା ସ୍ଥାନ,

ଭାବୀ ବଂଶ ଦେଖାଇବେ

ସାଦର ସମ୍ମାନ,

ଜାତୀୟ ଜୀବନେ ଏହି

ପ୍ରଧାନ ଘଟନା,

ସ୍ଥାନେ ସ୍ଥାନେ ଓଡ଼ିଆଏ

କରିବେ ବନ୍ଦନା ।

(୫)

ସୁସଭ୍ୟ ଇଂରେଜ-

ରାଜ-ପିତୃ ସୁଶାସନେ

ଶତ ବର୍ଷ ଅନ୍ତେ ଏବେ

ଉତ୍କଳ ଭୂବନେ,

ଫଳିଲା ପାଶ୍ଚାତ୍ୟ ଶିକ୍ଷା

ସୁମଙ୍ଗଳ ଫଳ,

ସମବେତ ଉଦ୍ୟମର

ଅଦଭୁତ ବଳ ।

ସ୍ୱଦେଶ,ସ୍ୱଜାତି ହିତେ

ସାଧୁ ସ୍ୱାର୍ଥତ୍ୟାଗ,

ସ୍ୱସମାଜ ସ୍ୱଧରମେ

ଗାଢ଼ ଅନୁରାଗ,

ସୁସାହସେ ଦେଖାଇଲେ

ଯେ ଉଚ୍ଚ ଆଦର୍ଶ,

ଅନୁସରନ୍ତୁ ଉତ୍କଳେ

ସର୍ବେ ପ୍ରତିବର୍ଷ ।

 

(୧)

କବି କୃଷ୍ଣ ସିଂହ ଗଞ୍ଜାମ ଅଧିବାସୀ ଥିଲେ । ବଳରାମ ଦାସ ଋଷିକୁଲ୍ୟା ନଦୀକୂଳରେ କେତେକ ଦିନ ଆଶ୍ରମ କରିଥିବାର ତାଙ୍କ ‘ରାମାୟଣ’ରୁ ଦେଖାଯାଏ ।

•••

 

ବ୍ରାହ୍ମଣ ସମିତି ଛାତ୍ରାବାସରେ ସମବେତ ଛାତ୍ରମାନଙ୍କ ପ୍ରତି

 

କହିଛନ୍ତି କବି ଯାକୁ ତପୋବନ,

କର ଭାଇ ତାକୁ ସେ ନାମଭାଜନ ।

ଅଶାନ୍ତି ଅନୈକ୍ୟ ହିଂସା ଦ୍ୱେଷ ରୋଷ,

ଆଳସ୍ୟ କ୍ଷୁଦ୍ରତା ବୃଥା ଅସନ୍ତୋଷ ।

ବ୍ରହ୍ମବର୍ଚ୍ଚ ବଶେ ନ ପଶୁ ଏ ସ୍ଥଳେ,

ଜ୍ଞାନେ ଉଦ୍ଭାସିତ ହେଉ ଏ ଉଜ୍ଜ୍ୱଳେ ।

ପୁଣ୍ୟ ନୀଳାଚଳ ପୁଣ୍ୟତମ ସ୍ଥାନ

ହୋଇ ଲଭୁ ସଦା ଲୋକରେ ସମ୍ମାନ ।

କର୍ମୀ ଧର୍ମୀ ଯୋଗୀ ପୁରୁଷ ପ୍ରସୂତି,

ବୋଲି ଚଉଦିଗେ ପ୍ରସରୁ ବିଭୂତି ।

ଶ୍ରେଷ୍ଠବଂଶେ ତୁମ୍ଭେ ଲଭିଛ ଜନମ,

ବିଧିରେ ସମାଜେ ଆସନ ପ୍ରଥମ ।

ବାଣୀ-ଉପାସନା ତୁମ୍ଭ ଜାତିଧର୍ମ;

ସତ୍ୟାନୁସନ୍ଧାନ ପ୍ରିୟ ନିତ୍ୟକର୍ମ ।

ସ୍ୱାର୍ଥତ୍ୟାଗ ତୁମ୍ଭ ବଂଶର ଗରିମା,

ସତତ ସୌଜନ୍ୟ ବିନୟ ବଡ଼ିମା !

କୁଳ ଗଉରବ ବଂଶ ବଡ଼ପଣ,

ରଖିବାକୁ ଭାଇ ଅଛି ଯେବେ ମନ,

ଗଢ଼ ଏଥି ଦୃଢ଼େ ଜୀବନ-ବୋଇତ,

କର ଆୟୋଜନ ଭବିଷ୍ୟତ ହିତ ।

ଭାରତ ଅର୍ଣ୍ଣବେ କି ଘୋର ତୋଫାନ,

ଦେଖି ଭାଇ ଆଗୁଁ ହୁଅ ସାବଧାନ ।

ବହେ ଅଣଚାଶ ପବନ କରାଳ,

ଉଠଇ ଉବ୍ବେଳ ଭୀମ ଊର୍ମିଜାଳ ।

କେତେ ଦ୍ୱୀପସ୍ତମ୍ଭ ନିମଗନ ଜଳେ,

କେତେ ଶତ ଶୈଳ ମିଶିଲେଣି ତଳେ,

ଭାରତ ଜାତୀୟ-ଜୀବନ ତରଣୀ

ପାଏ ନାହିଁ ଏବେ ସହଜ ସରଣୀ ।

ଜାତୀୟତା-ପୋତେ ଜୀବନ-ବୋଇତ

ଯୋଡ଼ିବା ତ ପ୍ରତି ଜନର ବିହିତ ।

ପଡ଼ିବ ହେବାକୁ ଏ ତୋଫାନେ ପାରି,

ହେବଟି କି ଭାଇ ପାରଗ କାଣ୍ଡାରୀ ?

ସେହିପରି ବଳ କର ଆୟୋଜନ,

ଆଗହୁଁ ସେପରି କର ଆୟୋଜନ ।

ଭାରତବାସୀର ଧର୍ମବଳ ସାର,

ଧର୍ମ ବିନା ଆଜି ଏଡ଼େ ଛାରଖାର ।

ଧର୍ମେ ପରା ଆଗେ ତୁମ୍ଭ ଅଧିକାର,

ସତ୍ୟ ଶୁଦ୍ଧ ଧର୍ମ କର ହେ ପ୍ରଚାର ।

ଦେଖାଅ ଜୀବନେ ଅଦ୍ଭୁତ ଶକତି,

କର୍ମେ ଅନାସକ୍ତି; ଧର୍ମେ ଦିବ୍ୟ ରତି ।

ପୂତ ‘କର୍ମଭୂମି’ ଏ ଭାରତ ଧାମେ

ଆର୍ଯ୍ୟ ଅଭିମାନ କର କିମ୍ପା ନାମେ ?

ପ୍ରେମେ ଆଲିଙ୍ଗନ କର ସର୍ବଜନେ,

ଉଛୁଳାଅ ପ୍ରେମ-ଉଚ୍ଛ୍ୱାସ ଜୀବନେ ।

ତୁମ୍ଭ ଆଦରଶେ ଅନ୍ୟ ଯେତେ ଜାତି,

ଉଠିବେ ପଲକେ ସାଧୁ କାର୍ଯ୍ୟେ ମାତି

ସାନ ବଡ଼ପଣ ସିନା ଭାଗ୍ୟାଧୀନ,

ସେଥିଲାଗି ମନ ନ କର ମଳିନ ।

ସତ୍ୟ, ଶମ, ଦମ, ଶଉଚ, ତିତିକ୍ଷା,

ଏ ଆଦି ସକଳ ତୁମ୍ଭ କୁଳ-ଦୀକ୍ଷା ।

ଆଚରିଣ ତାହା ଜୀବନେ ନିରତେ,

ବ୍ରହ୍ମତ୍ୱର ତେଜ ପ୍ରକାଶ ଜଗତେ ।

ଲୋକହିତେ ପ୍ରାଣ-ପ୍ରଦାନ-ପ୍ରବଣ-

ଦଧୀଚି ଶୋଣିତ କରିଛ ଧାରଣ ।

ଦିଅ ସ୍ୱାର୍ଥବଳି ଦେଖାଅ ସେ ତ୍ୟାଗ,

ଭାରତ ଜାତୀୟ-ମହାଯାଗେ ଲାଗ ।

ବୀରେନ୍ଦ୍ର ଅଗ୍ରଣୀ କୃପ ଦ୍ରୋଣାଚାର୍ଯ୍ୟ,

ତୁମ୍ଭ ପୂର୍ବବଂଶେ ନ କଲେ କି କାର୍ଯ୍ୟ !

ପରଶୁ ପ୍ରଭାବେ ଦେବ ନିରଞ୍ଜନ

କରିଣ ଦୁରନ୍ତ ନୃପତି ନିଧନ,

ବିଶ୍ୱହିତେ କଲେ ଶୋଣିତ ତର୍ପଣ,

ସେ କଥା କି ଆଜି ନ ହୁଏ ସ୍ମରଣ ?

ନିଜ ସୁଖ ଲାଗି ଜାତ ନୁହେ ହିନ୍ଦୁ,

ବିଶ୍ୱହିତେ ହିନ୍ଦୁ ପ୍ରତି ରକ୍ତବିନ୍ଦୁ ।

ଦେଖାଅ ଏ ସତ୍ୟ ଆପଣା ପରାଣେ,

ଦିଅ ଏହି ମନ୍ତ୍ର ସର୍ବ ବର୍ଣ୍ଣ କାନେ ।

ସର୍ବେ ଆମ୍ଭେ ଏକ ଈଶ୍ୱର-ସନ୍ତାନ,

ସାଧ ବିଶ୍ୱହିତ ତେଜି ଅଭିମାନ ।

•••

 

କାମ

 

କାମଦେବ, ସୃଷ୍ଟିସ୍ଥିତି ସଂହାରନିଦାନ

ତୁମ୍ଭର ପ୍ରଭାବେ ଫୁଟେ ପୁଷ୍ପରାଜି ବନେ,

ମଞ୍ଜୁ ଗୁଞ୍ଜେ ଅଳି, ଗାଏ କୋକିଳ ସୁତାନ,

ସରସ ଉଲ୍ଲାସ ଜନ୍ମେ ଜଗତ ଜୀବନେ ।

ପାଦପେ ବଲ୍ଲରୀ, ମେଘେ ବିଜୁଳି ଜଡ଼ିତ,

ଉଠେ ଊର୍ମି ସିନ୍ଧୁଜଳେ ଇନ୍ଦୁ ଆଲିଙ୍ଗନେ,

ଅଙ୍ଗେ ଅଙ୍ଗ, ପ୍ରାଣେ ପ୍ରାଣ ହୁଅଇ ମିଳିତ,

ସହଜ ପବିତ୍ର ପ୍ରେମେ, ତୁମରି ପ୍ରେରଣେ ।

ସୁମଧୁର-ମଧୁରାଜ୍ୟ-ଦେବ ରତିପତି !

ତବ ମୃଦୁ ଆଶ୍ୱାସନେ ପୁଲକେ ହୃଦୟ ।

ଦାରୁଣ ତାଡ଼ନ ମୂଢ଼ ଉପାସକ ପ୍ରତି

ଆମରଣ ଦୁଃଖ-ଶୋକ-ଅନୁତାପମୟ ।

ତୁମ୍ଭ ମଧୁଭାବେ ଜ୍ଞାନୀ କରେ ଅନୁଭୂତି

ଶୁଦ୍ଧ ଦିବ୍ୟ ବିଭୁପ୍ରେମ-ଜଡ଼ ପ୍ରତିକୃତି ।

•••

 

କ୍ରୋଧ

 

ମାନବ ଦୁରନ୍ତ ରିପୁ ଅନଳପ୍ରତିମ

ସାଧୁମୁଖେ କ୍ରୋଧ ! ସଦା ତବ ନିନ୍ଦାବାଦ;

ତୁମ୍ଭ ଆବିର୍ଭାବେ ଘଟେ ଅଶାନ୍ତି ଅସୀମ,

ସମାଜ ଶାସନେ ଘୋଟେ ଘୋର ପରମାଦ !

ମହାକାଳରୂପୀ ଦେବ ! ଯେବେ ପରକାଶେ

ସତ୍ୟର ସପକ୍ଷେ ତବ ଭୀମକାନ୍ତ କାୟା;

ନାଶେ ପାପୀ ଭୟେ ନାଚେ ଧାର୍ମିକ ଉଲ୍ଲାସେ,

ସେ ମୂର୍ତ୍ତି ସମ୍ମୁଖେ ନମେ କ୍ଷୀଣ ଭବମାୟା ।

ଜର୍ଜରିତ ଅତ୍ୟାଚାର ଅନ୍ୟାୟ ଦୂଷଣେ

ପ୍ରଚଣ୍ଡ ପ୍ରଭାବେ ପ୍ରେରି(୧) ତ୍ରିଂଶକୋଟି ପ୍ରାଣେ

ସତ୍ୟ-ଧର୍ମ-ନ୍ୟାୟ ସଖା ରୁଦ୍ରରୂପୀ କ୍ରୋଧ !

ନମେ ତବ ପଦେ, କର ପାପ ପ୍ରତିଶୋଧ ।

 

(୧)

ପ୍ରେରି – ପ୍ରେରଣା କରି (inspiring)

•••

 

ରେଭନ୍‌ସା କଲେଜରୁ ବିଦାୟ

 

ସତେ ଆଜି ଜନନୀ ! ଏ ଅଧମ ତନୟ

ସଂସାର-ଘଟନାବଳେ

ଭାସି ଶୋକ-ଦୁଃଖ-ଜଳେ

ଛାଡ଼ିଲା ତୁମ୍ଭର ଚାରୁ ଅଙ୍କ ମଧୁମୟ,

ନିଃସହାୟେ ଲୋଡ଼େ ଏବେ ସଂସାରେ ଆଶ୍ରୟ ।

ସଂସାର ବିଷମ ସ୍ଥାନ

ନାହିଁ ଜ୍ଞାନ, ନାହିଁ ଧ୍ୟାନ,

ଅଜ୍ଞାନେ ସକଳେ ଏଥି ସତତ ଚଞ୍ଚଳ,

ତୋ କୋଳ ସମାନ ନାହିଁ ଶାନ୍ତିମୟ ସ୍ଥଳ ।

କେତେ ଦିବ୍ୟ ଭାବରାଶି

ମୋ ହୃଦ-ତରଙ୍ଗେ ଭାସି

ଯାଉଥିଲା ଥିଲି ଯେବେ ତୋର କୋଳେ ଭୋଳେ,

ସେସବୁ ରହିବ ଟିକି ଏବେ ଭବରୋଳେ ?

ତୋ ମନୋହର ଉଦ୍ୟାନେ

ନିକାଞ୍ଚନେ ଏକଧ୍ୟାନେ

ଚନ୍ଦ୍ରାଲୋକେ ବିହରିଣ ପୁଷ୍ପ ବନ୍ଧୁ ମେଳେ,

ଦେଖିଛି ଅପୂର୍ବ କେତେ ଚିତ୍ର ବେଳେ ବେଳେ ।

ଦେଲେ ଏ ଯେ ନରଦେହ

ଥିଲେ କରିଥାନ୍ତେ ସ୍ନେହ

ସ୍ୱପ୍ନେ ଦିନେ ଦେଖି ନାହିଁ ତାଙ୍କ ସୁଧାମୁଖ,

ଆଜନମ କାଳୁ ମୋର ଚିର ସଖା ଦୁଃଖ ।

କିନ୍ତୁ ମୋ ମନ-ନୟନ

କରି ମାତ ! ଉନ୍ମୀଳନ

ଚଖାଇଚ ମୋତେ ଯେଉଁ ସାମାନ୍ୟ ଅମୃତ,

ଆମରଣ ତହିଁ ଯୋଗେ ହେବି କୃତକୃତ୍ୟ ।

ଥିବି ଯହିଁ ତହିଁ ମାତ !

ଅଜ୍ଞାତ କି ଅବା ଖ୍ୟାତ

ଜାଗ୍ରତ ଥିବ ମୋ ମନେ ତୁମ୍ଭ କଥା ନିତି,

ହୁଏ ଯେତେ ବର୍ଷୀୟାନ୍

ଥିବ ତୁମ୍ଭ ପଦେ ଧ୍ୟାନ

ତୁମ୍ଭ ହିତେ ଜନନୀ ଗୋ ! ଲଭିବଇଁ ପ୍ରୀତି ।

ପୂର୍ବେ ଉଇଁ ଦିବାକର

କ୍ରମେ ଉଠେ ଯେତେ ଦୂର

ବଢ଼ଇ ମମତା ତେତେ ଶୈଶବ ସଦନେ ।

ଅସ୍ତାଚଳ ଶିରଦେଶେ

ପରବେଶି ଦିବାଶେଷେ

ପରଶେ ସ୍ଥବିର କରେ ପୂର୍ବାଶା ଚରଣେ ।

ଶିଖାଇଛ ଯେଉଁ ଶିକ୍ଷା

ଦେଇଅଛ ଯେଉଁ ଦୀକ୍ଷା

ନିରନ୍ତର ପ୍ରତିଫଳୁ ତାହା ମୋ ଜୀବନେ,

ଏହି ଭିକ୍ଷା ଅକିଞ୍ଚନ କରେ ଶ୍ରୀଚରଣେ ।

•••

 

ମୋ ନାନୀ

 

ଆବାଲ୍ୟ ବିଧବା ଆହା ! କେବେ ମାତ୍ର ବାରେ

ଭୋଗି ନାହଁ ଦିବ୍ୟ ଶୁଦ୍ଧ ଦାମ୍ପତ୍ୟ-ପ୍ରଣୟ,

ପର ସେବାବ୍ରତେ ନିଜ ଜୀବନ ସଞ୍ଚୟ

ବ୍ୟୟ କରିବାକୁ ତବ ଜନ୍ମ ଏ ସଂସାରେ ।

ସଦା ସମଭାବ ତବ ଭିତରେ ବାହାରେ,

ପରଲାଗି ଆଲୋଡ଼ିତ ସତତ ହୃଦୟ,

ଆଜୀବନ ତେଜି ନିଜ ସୁଖ ସମୁଚ୍ଚୟ,

ସୁଧା ସମ ମାତୃଭାବ ମିଳେ ତୁମ୍ଭଠାରେ ।

ସଦାଶୟା ସ୍ନେହମୟୀ ପରମପାବିନୀ,

ଜୀବନ ମହତ ଲକ୍ଷ୍ୟ ସାଧୁଛ ଗୁପତେ,

ତୁମ୍ଭ ରୀତି ଆଚରିଲେ ସକଳ କାମିନୀ,

ଓହ୍ଲାଇ ଆସନ୍ତା ସ୍ୱର୍ଗ ଏ ମର୍ତ୍ତ୍ୟ ଜଗତେ ।

ତୁମ୍ଭର ନିଷ୍କାମ ସ୍ନେହ ସଦା ଥିବି ମାନି,

ଯହିଁ ଥିଲେ ସ୍ମରୁଥିବି ନିତି ‘‘ନାନୀ, ନାନୀ’’ ।

•••

 

ଛବିଶ ବର୍ଷ ପ୍ରବେଶ

 

ଅଲକ୍ଷିତେ ନିଶବଦେ ଆହା କି ବେଗରେ

ବହି ଯାଉଅଛି କାଳ-ନିରପେକ୍ଷ-ନଦୀ !

ଅସଂଖ୍ୟ କଳ୍ପନା-କଳି ରହିଛି ଅନ୍ତରେ,

ବିକଶିତ ହୋଇ ନାହିଁ ଗୋଟିଏ ଅବଧି ।

ପଚିଶି ଛବିଶ ବର୍ଷ ହେଲା ଏବେ ଗତ

ପଛକୁ ଚାହିଁଲେ ହୃଦ ଆହା କି ବିକଳ !

ଅତୀତ କେବଳ ମୋର ରୁକ୍ଷ ସଇକତ,

ଦିଶେ ନାହିଁ କାହିଁ ଏକ ଶ୍ୟାମ ଦୂର୍ବାଦଳ !

ଏ ଦଦରା ନାବ ଆଉ ଜୀବନ- ସରିତେ

ବାହିବି ବା କେତେ ଦିନ ବହନୀ ବିହୀନ,

ମଧ୍ୟାହ୍ନେ ପ୍ରଦୋଷ ଚିନ୍ତା ପଡ଼ଇ ମୋ ଚିତ୍ତେ,

ମୋ ଆଶା-ମୁକୁଳରାଜି ବସନ୍ତେ ମଳିନ ।

ଧର୍ମ ଅନୁକୂଳ ଯେବେ ମୋ କାମନାଚୟ,

ସାଧନେ ଶକତି ଦିଅ ପ୍ରଭୁ ଦୟାମୟ !

•••

 

ବିଷାଦ ସମୟରେ ଲିଖିତ କତିପୟ ପଂକ୍ତି

 

ପ୍ରଣୟର ସୁହାସ ଲୋତକ,

ସୁଖ ଦୁଃଖ ଆହ୍ଲାଦ ଯାତନା,

ଜୀବନେ ମୁଁ ଭୋଗିଛି ଅନେକ,

ନାହିଁ ଆଉ ଅଧିକେ କାମନା !

ମୋ ଜୀବନ-ବୀଣାଯନ୍ତ୍ରତାର,

ସ୍ୱରହୀନ ବଇତମ ଅତି,

ଏବେ କ୍ରମେ ହେଉଛି ଅସାର,

ତେଜି ଆଦ୍ୟ ମୋହିନୀ ଶକତି ।

ମଧୁକାଳ ଆଶା-ଫୁଲରାଜି

ନିଦାଘର ତପନ କିରଣେ,

ଝାଉଁଳିଛି କି ବିଷାଦେ ଆଜି

ଗନ୍ଧହୀନ ଜୀବନ-କାନନେ ।

ପ୍ରଭାତର ମୃଦୁ ଗନ୍ଧବହ

ହରାଇଛି ନିଜ ଶୀତଳତା,

ଭୀମ ଝଞ୍ଜା ପବନ ପ୍ରବାହ

ନାଶେ ଏବେ ହୃଦ-ସରସତା ।

ଭ୍ରମି ଭ୍ରମି ଅବସନ୍ନ କାୟା

ବିଷମ ଏ ବହୁ ଦୂର ବାଟେ,

ଦେଖିବଇଁ ଯେବେ ସ୍ନିଗ୍‌ଧ ଛାୟା

ବିଶ୍ରାମିବି ତହିଁ ଜଳଘାଟେ ।

ଶୁଣି ଖଗ ମଧୁର କାକଳୀ

ଜୀର୍ଣ୍ଣ ବୀଣା ରଖିବି ସମ୍ପାଦି,

ପକ୍ଷୀଗୀତେ ଦେବି କରତାଳି,

କେହି ମୋର ନ ଥିବେ ବିବାଦୀ ।

ତରୁଲତା ନବ କିଶଳୟେ

ବିରଚିଣ କୋମଳ ଆସନ,

ଶୋଇବି ମୁଁ ବିତାନ ହୃଦୟେ

ଶୁଣିବାକୁ ବାୟୁ ସନ ସନ ।

•••

 

ଚନ୍ଦ୍ର

 

(୧)

ଆରେ ପୂର୍ଣ୍ଣ ନିଶାମଣି ! ଯେ କାଳେ ତୁ ନିଶିରାଣୀ

ସଙ୍ଗେ କରୁ ପ୍ରିୟ ସମ୍ଭାଷଣ,

କାହିଁ କିମ୍ପା ତୋ ଉତ୍ପତ୍ତି କଲା କେଉଁ ମହାମତି

ଏ ତତ୍ତ୍ୱ ସକଳ ସଦା ଭାବଇ ମୋ ମନ,

ଦେଖିଲେ ସେ କାଳେ ତୋର ବିମଳ ବଦନ ।

(୨)

କେ କହେ ତୋର ଶରୀର ଧରିଛି ବହୁ ଭୂଧର,

ବହୁ ଶତ ନିବିଡ଼ କାନନ,

ନାହିଁ ତୋହର ପରାଣ, ଅଟୁ ତୁ ଧରା ସମାନ,

ଅତି ସୁପ୍ରକାଣ୍ଡ ଏକ ବସ୍ତୁ ଅଚେତନ;

ମାତ୍ର ଏ ବିଚାର କେବେ ନ କରେ ମୋ ମନ ।

(୩)

ଯଥାର୍ଥ ଅଟୁ ତୁ କିସ ? କହ ରେ ରଜନୀ-ଈଶ,

ନିସ୍ତବ୍‌ଧେ କି କରୁଛୁ ସାଧନ ?

ହସୁଛୁ ଅତି ଆନନ୍ଦେ, ଏ ନିଶୀଥେ ମନ୍ଦେ ମନ୍ଦେ,

ଅଂଶୁମାଳେ ବିମଣ୍ଡିଣ ସମସ୍ତ ଭୁବନ,

ଏ ମହାଲକ୍ଷ୍ୟ କି କେବେ ଜାଣିବ ଏ ଜନ ?

(୪)

ଏ ଛାର ପାର୍ଥିବ ଜନ କି ଛାର ଏହାର ଜ୍ଞାନ,

ତୁହି ପୁଣି ସୁରଲୋକବାସୀ,

ତୋ ନିଗୂଢ଼ ତତ୍ତ୍ୱମାନ, ବୁଝିବ କିଏ ଅଜ୍ଞାନ,

ଶାନ୍ତମୟୀ ନିଶିରାଣୀ ଯା ପାଦର ଦାସୀ,

ଅନୁଗତ ଯାର ତାରା ଗ୍ରହ ରାଶି ରାଶି ।

(୫)

ଚିତ୍ତେ ହୁଏ ଅନୁମିତ, ଗାଉ ତୁ ବିଭୁ-ସଙ୍ଗୀତ;

ପ୍ରକାଶିବା ପାଇଁ ଏ ଜଗତେ

କର୍ତ୍ତାଙ୍କର ଅବସ୍ଥିତି କଲେ ଯେ ତୋର ଉତ୍ପତ୍ତି,

ନିର୍ଜୀବ ବୋଲିଣ ତୋତେ ବୋଲିବି କେମନ୍ତେ ?

ରହୁ ଏ ମୋ ମୂଢ଼ ମନ ତୋ ବିଭୁ-ସଙ୍ଗୀତେ ।

•••

 

ଏକ ଅସରା ବର୍ଷାର ଅବ୍ୟବହିତ ପରେ ନରାଜ ଦର୍ଶନ

 

ସତ୍ୟ ଶାନ୍ତି ସୁଖ ସଦା ମାନବ-ଜୀବନ

ଖୋଜଇ ବ୍ୟାକୁଳେ ବ୍ୟସ୍ତ ସଂସାର ଗହଳେ,

ମିଳିଲେ ଏପରି ସ୍ଥାନ କେବେ ଭାଗ୍ୟଫଳେ

ଅପସରେ କ୍ଷଣେ ଭବ ଦାରୁଣ କଷଣ ।

ସଦ୍ୟସ୍ନାତ ଏହୁ ଛବି ଶୁଦ୍ଧ ଘନଜଳେ

ଅସ୍ତମିତ ରବି-କରେ ଦ୍ୱିଗୁଣ ଉଲ୍ଲାସେ,

ବିରାଜେ ଶ୍ୟାମଳ ଶସ୍ୟ କ୍ଷେତ୍ର ଚଉପାଶେ,

ବିଶଦେ ସକଳ ନଦୀ ବକ୍ଷେ ପ୍ରତିଫଳେ ।

ଶଇଳ ଶିଖରେ ଶୋଭେ ଶୁଭ୍ର ଶିବାଳୟ,

ସମଗ୍ର ଶ୍ୟାମଳ ଦୃଶ୍ୟ ମଧ୍ୟେ କି ରୁଚିର !

ନୀଳ ମେଘେ ଯଥା ପୂର୍ଣ୍ଣ ଚନ୍ଦ୍ରମା ଉଦୟ

ଶିବ ସଙ୍ଗବଶେ ଶାନ୍ତି ଅଧିକ ଗମ୍ଭୀର ।

ଦେଖ ଦେଖ ବନ୍ଧୁଗଣ ! ପୂରାଇ ନୟନ,

ଏ ଯୋଗ ଜୀବନେ ଘଟେ ଅତି ଅଳ୍ପକ୍ଷଣ ।

•••

 

ଗ୍ରୀଷ୍ମେ ଖୁଣ୍ଟାଗଛ

 

ହେ ତରୁବର ! କାହିଁ ସେ କଳେବର ?

ଅଳପଦିନ ତଳେ ଏଡ଼େ ସୁନ୍ଦର !

ମନୋଜ୍ଞ କିଶଳୟଦଳେ ଶୋଭିତ,

ମୋହିତ କରୁଥିଲୁ ଭାବୁକ ଚିତ୍ତ ।

ନବୀନ ଯୁବାଜନ ସମ ପ୍ରଫୁଲ୍ଲ,

ଦିଶୁଥିଲୁ ରେ ଦ୍ରୁମ କେଡେ ମଞ୍ଜୁଳ !

ଏବେ କିପାଇଁ ତେଜି ସେ ଦିବ୍ୟ ଦେହ,

ଏ ଦୀନହୀନ ବେଶେ କରୁଛୁ ସ୍ନେହ ?

ଖୁଣ୍ଟା ଶରୀରେ ସ୍ଥିରେ ହୋଇଛୁ ଛିଡ଼ା,

ପୂର୍ବପରି ପବନେ ନାହିଁ ତୋ କ୍ରୀଡ଼ା ।

କଙ୍କାଳ ମାତ୍ର ଅଛି ତୋ ଅବଶିଷ୍ଟ,

ନ ଜାଣଇ ପଡ଼ିଲା କି ଦଶା ରିଷ୍ଟ ।

ନିଦାରୁଣ ନିଦାଘ ହୋଇ ଭଗାରି,

ବଳ ବୟସ ବପୁ ଦେଲା କି ସାରି ?

ତୋ ପୂର୍ବତନୁଶୋଭା ସୁମରି ମନେ,

ଏ ରୂପ ଦେଖି ଅଶ୍ରୁ ଆସେ ନୟନେ;

କ୍ଷଣ-ଭଙ୍ଗୁର ସିନା ନର-ଯୌବନ

ପ୍ରସ୍ଫୁଟିତ କୁସୁମେ ବାସ ଯେସନ ।

ଦେଖିଣ ଭବେ ନିତି ଏପରି ରୀତି,

ଆଚରେ ଯୁବାଜନ କେତେ ଅନୀତି ।

ହେ ବୃକ୍ଷରାଜ ! କଲି ଯେଉଁ ବିଚାର,

ନୁହେ ତୋର ସେପରି ହୀନ ଆଚାର ।

ତୋ ଯୁବାକାଳେ ସାଧି ପ୍ରାଣୀ-ମଙ୍ଗଳ,

କରିଛୁ ରେ ପାଦପ ! ଜନ୍ମ ସଫଳ ।

ଦେଇ କୋମଳ ଛାୟା ସୁପକ୍ୱ ଫଳ,

କରିଛୁ କେତେ ଦଗ୍‌ଧ-ପ୍ରାଣ ଶୀତଳ ।

କାଟିଲୁ ଯୁବାକାଳ ପରୋପକାରେ,

ଧନ୍ୟ ଧନ୍ୟ ଜୀବନ ତୋର ସଂସାରେ !

ଏବେ ମାୟା ମମତା ସବୁ ବିହରି,

ନୀରବେ ଏକ ଲୟେ ଭଜୁ ଶ୍ରୀହରି ।

ଧରିଣ ଯତି-ଦୀକ୍ଷା ସାଧୁଛୁ ଯୋଗ,

ପରମବ୍ରହ୍ମେ ଚିତ୍ତ କରି ସଂଯୋଗ ।

ପ୍ରଖର ରବି-କରେ ଟେକିଛୁ ମଥା,

ତପ-ପ୍ରଭାବେ ହୃଦେ ନ ଲାଗେ ବ୍ୟଥା ।

ଚଉପାଶେ ଦାବାଗ୍ନି ପ୍ରଚଣ୍ଡେ ଜଳେ,

ଅନଳକୁଣ୍ଡ ଯଥା ତପସ୍ୟା ସ୍ଥଳେ ।

କଳ୍ପଯୋଗୀ ପରାୟେ ଦିଶେ ଶରୀର,

ରହିଛି ଅସ୍ଥି-ଚର୍ମ, ନାହିଁ ରୁଧିର ।

ଦେଖିଣ ଏ ନୀରସ ସ୍ଥବିର ତନୁ,

ଭୟ ଭକତି ଭାବ ଉପୁଜେ ମନୁ ।

ପଡ଼ଇ ସ୍ମୃତି -ପଥେ ଅତୀତ କଥା,

ଭାରତର ଗୌରବ ଆଶ୍ରମପ୍ରଥା ।

ସମାଜ ସୁରକ୍ଷଣେ ଅପୂର୍ବ ବିଧି,

କାହିଁ ଗଲା ଏବେ ସେ ଅମୂଲ୍ୟ ନିଧି ।

ମୁକତିଲାଭେ ସେହି ଧର୍ମ୍ମ-ନିଶୁଣି,

ସତେ କି କେବେ ଫେରିଆସିବ ପୁଣି ?

ଗୃହସ୍ଥାଶ୍ରମ ଏକା ଏ ଯୁଗେ ସାର,

ନ ତୁଟେ ମଲାଯାଏ ମାୟା-ସଂସାର ।

ଗୃହସ୍ଥାଶ୍ରମେ ପୁଣି ନାହିଁ ସେ ନୀତି,

ଧର୍ମ୍ମ-କର୍ମ୍ମ-ସାଧନେ ସରଳ ପ୍ରୀତି ।

ସ୍ୱାର୍ଥ-ସାଧନେ ରତ ସର୍ବେ ନିରତେ,

କେତେ କାଳ ଏପରି ହେବ ଭାରତେ !

•••

 

ଗୋଟିଏ କାଙ୍କଣ ଗଛ

 

ନବଦୂର୍ବାଦଳ ଶେଯେ ଧରାଧାତ୍ରୀ କୋଳେ

ବଢ଼ିଥିଲୁ ତେଜପୁଞ୍ଜେ ଆହା କେଡ଼େ ଭୋଳେ ।

ଦେଲା ପ୍ରକୃତି-ଜନନୀ ଲୋଡ଼ୁ ଯେବେ ଯାହା,

ନ ଥିଲା ତୋର ଏ ଭବେ କେହି ଆଉ ସାହା ।

ନତଶିଖେ ଲୋଟୁଥିଲୁ ସୁଖେ ନିମ୍ନଦେଶେ,

ସ୍ଵାଧୀନତାବଶେ ଶୋଭୁଥିଲୁ ଚାରୁବେଶେ ।

ଧରୁ ରାଶି ରାଶି ଫଳ, ଗଲା ସବୁ ନାଶ,

ତିଳେହେଲେ ମନେ ତୋର ନ ହୁଅଇ ପ୍ରାସ ।

କିନ୍ତୁ ଫଳ-ଅଭିଳାଷୀ ଦୁରାଶୟ ନର,

ଲଗାନ୍ତେ ତୋ ଦିବ୍ୟ ଶୁଦ୍ଧ କଳେବରେ କର;

ଝାଉଁଳି ପଡ଼ିଲୁ ସିନା ପାପର ପରଶେ !

ସ୍ଵାଧୀନତା ହରାଇଣ ରହିଛୁ ବିରସେ ।

ରଞ୍ଜା ଖଞ୍ଜା ହେଲା ତୋର ଅଙ୍ଗବୃଦ୍ଧି ଲାଗି

କହ ତା ସଂଯୋଗେ କିମ୍ପା ହେଲୁ ଦୁଃଖଭାଗୀ ?

ଅନ୍ୟର ଆଶ୍ରୟ ପାଇ ଉଚ୍ଚେ ଶିର ଟେକି,

ବଡ଼ପଣ ଅଭିଳାଷେ ନର ଅବିବେକୀ ।

 

 

ସ୍ଵାଧୀନତାପ୍ରିୟେ ! ଧରି ଅପର ଚରଣ,

ଭାଗ୍ୟ ଅରଜନୁଁ ଶ୍ରେୟ ମଣିଲୁ ମରଣ ।

•••

 

କୋକିଳ

 

ମଧ୍ୟାହ୍ନ ତପନ-କର ପ୍ରଚଣ୍ଡ ପ୍ରଖର

ଅବସନ୍ନ ତରୁଲତା ପଶୁ-ପକ୍ଷୀ-ନର,

ଏବେ ଶ୍ରମବାଧା ପାଇ,

ପ୍ରବେଶିଲି ଛାୟାପ୍ରଦ ଘନ ବନେ ଯାଇ । ୧ ।

ଆହା କେଡ଼େ ଶାନ୍ତିମୟ ଏହୁ ବନସ୍ଥଳୀ !

ଶୁଭୁନାହିଁ ସୁଦ୍ଧା ଏଥି ବିହଙ୍ଗ-କାକଳୀ,

ବହେ ଭାର୍ଗବୀ ସୁନ୍ଦରୀ,

ନୀରବ ଗମ୍ଭୀରେ ନିଜ ଗତି ଅନୁସରି । ୨ ।

ସୁଶ୍ୟାମଳ ତୃଣବାସେ ଆଚ୍ଛାଦିତ ମହୀ

ସୁଶୀତଳ ସମୀରଣ ବହେ ରହି ରହି,

ଆହା କିଏସେ ଏକାଳେ,

ମୋ ଶ୍ରୁତିପଥରେ ସୁଧାମୟ ବାଣୀ ଢାଳେ ? । ୩ ।

ସଂସାର-ସମରେ ଦଗ୍‌ଧ ମୋ ବ୍ୟସ୍ତ ଜୀବନ

ପରମ ଉଲ୍ଲାସ-ରସେ ହେଲା ନିମଗନ,

ଆହା ସେ ମଧୁର ଗୀତି,

ମୋ ତାପିତ ହୃଦେ ଜାତ କଲା ଦିବ୍ୟ ପ୍ରୀତି । ୪ ।

ନିରେଖିଲି ଚଉଦିଗେ ସାବଧାନ ନେତ୍ରେ

କାହାକୁ ଦେଖିଲି ନାହିଁ ଡାଳେ କିବା ପତ୍ରେ

ବହେ ସେ ସଙ୍ଗୀତ-ସୁଧା,

ପୁଲକି ଉଠେ କି ସତେ ନିଖିଳ ବସୁଧା ! । ୫ ।

ମନେ ବିଚାରିଲି ଶାନ୍ତିଦେବୀ ରାଜପଣେ

କରନ୍ତି ସଙ୍ଗୀତ ସ୍ୱର୍ଗ-ଅପସରାଗଣେ

ରହି ଅଦୃଶ୍ୟେ ଗୋପନେ

ବୁଝିବେ ଏହାର ଅର୍ଥ କାହୁଁ ମର୍ତ୍ତ୍ୟଜନେ ? । ୬ ।

କ୍ଷୁଦ୍ର ପକ୍ଷୀ ଏକ ତରୁଶାଖାରୁ ଏକାଳେ

ଉଡ଼ି ପଶିଗଲା ଲତାକୁଞ୍ଜ ଅନ୍ତରାଳେ,

ବାଣୀସ୍ରୋତ ପରମ୍ପରା,

ଏବେ ତାହା ପଛେ ପଛେ ବହିଗଲା ପରା ! । ୭ ।

ସେ ଲତାମଣ୍ଡପୁ ପୁଣି ବାହାରିଲା ତାନ,

ଜାଣିଲି ସେ କ୍ଷୁଦ୍ର ପକ୍ଷୀ କରୁଅଛି ଗାନ,

ଧନ୍ୟ ଧନ୍ୟରେ ବିହଙ୍ଗ,

କି ହେବ ବା ହେଲେ ତୋର ଅସୁନ୍ଦର ଅଙ୍ଗ ? । ୮ ।

ଗୁଣ ଥିଲେ ରୂପରେ କି ଅଛି ପ୍ରୟୋଜନ ?

ରୂପ ଅଟଇ କେବଳ ବାହ୍ୟ ଆଭରଣ,

ଧନ୍ୟ ଧନ୍ୟ ରେ ବିହଙ୍ଗ,

କି ହେବ ବା ହେଲେ ତୋର ଅସୁନ୍ଦର ଅଙ୍ଗ ? । ୯ ।

ଭାରତ ପ୍ରାଚୀନ ଆର୍ଯ୍ୟ ମୁନିଗଣ ପରି

ମହାଲକ୍ଷ୍ୟ ସାଧୁ ଗୁପ୍ତେ ସାଧୁରୀତି ଧରି,

ତେଣୁ ତେଜି ଆଡ଼ମ୍ବର,

ଉଚ୍ଚାରୁ ନିଭୃତେ ବସି ଏ ମହାମନ୍ତର । ୧୦ ।

ସେ ମହାପୁରୁଷେ ଯଥା ବସି ବନସ୍ଥଳେ

ପ୍ରକାଶିଲେ ଦିବ୍ୟତତ୍ତ୍ୱ ଧରଣୀ-ମଣ୍ଡଳେ,

ତଥା କରୁ ଦିବ୍ୟନାଦ,

ଶୁଣି ଯାହା ତୁଟେ ନର-ହୃଦ ଅବସାଦ । ୧୧ ।

ଏ ଯୁଗର ପ୍ରାଣୀ ନୋହୁ ଜାଣିଲି ରେ ପକ୍ଷି ।

ପ୍ରାଚୀନ ମହତ ରୀତି ଅଛୁ ତେଣୁ ରଖି,

ନାହିଁ ଗର୍ବ ଅହଙ୍କାର,

ତୋ ନିବାସ ଉପଯୋଗୀ ନୁହେ ଏ ସଂସାର । ୧୨ ।

କେଡ଼େ କ୍ଷୁଦ୍ର ଦେହେ କେଡ଼େ ଗୁରୁତର ଭାବ

ଲାଗଇ ଆଶ୍ଚର୍ଯ୍ୟ ମୋତେ ଦେଖି ତୋ ପ୍ରଭାବ,

ଆରେ ପ୍ରବୀଣ ବିହଙ୍ଗ,

ଲଭିବାକୁ ମୋର ଇଚ୍ଛା ତୋର ସାଧୁସଙ୍ଗ । ୧୩ ।

ଅଜ୍ଞାନ ତିମିରେ ଅନ୍ଧ ଭାରତ-ସନ୍ତାନ

ହରାଇଛନ୍ତି ଜାତୀୟ ମାନ ଅଭିମାନ,

ଆରେ ପ୍ରିୟ ପକ୍ଷିବର,

ଗାଅ ନାହିଁ ପୂର୍ବ ସ୍ମୃତି ବିଦାରେ ଅନ୍ତର । ୧୪ ।

ଜାଣିବ କି ହେ ପାଠକ ଏ ବିହଙ୍ଗ ନାମ,

ଜାଣିବ କି କାହିଁ ଏହା ସୁଖମୟ ଧାମ ?

ନାମ ଏହାର କୋକିଳ,

ବସନ୍ତ-ରାଜ୍ୟ-ନିବାସୀ ‘ସୁରକ୍ଷଣଶୀଳ’* । ୧୫ ।

 

*

ପ୍ରାଚୀନ ଉତ୍ତମ ବିଧିସକଳର ରକ୍ଷକ ।

•••

 

ଅନାଥା କଳିକା

 

ନବୀନ ମଲ୍ଲିକା ଚାରୁ କୋମଳ କଳିକା,

ପ୍ରକୃତି-ଜନନୀ କୋଳେ ସରଳା ବାଳିକା,

ଭୋଗି ନାହିଁ ଭବ-ଦୁଃଖ ଝଡ଼ ଝଞ୍ଜାବାତ,

ଅତିକ୍ରମି ନାହିଁ ବାଳା ଜୀବନ-ପ୍ରଭାତ,

ତରୁଣ ଛଟକ ଭାବ ଅପାଙ୍ଗ-ଚାହାଣୀ,

ଚତୁର ସୁହାସ ଆଜି ନାହିଁ କିଛି ଜାଣି ।

ଦରୋଟି ହସଇ ଶୁଣି ବିହଙ୍ଗମ-ଋତ,

ବୃନ୍ତାସନେ ଧୀରେ ଧୀରେ ଦୋଳାଏ ମାରୁତ ।

ସ୍ୱର୍ଗୀୟ ସରଳ ଭାବ ପବିତ୍ର ମାଧୁରୀ,

ଏ ନବ କୋରକେ ଅଛି ଅପ୍ରକାଶ୍ୟେ ପୂରି ।

ଶୈଶବ ସମୟ ତାର ଅଜ୍ଞାନ ସମୟ

ଏ କାଳେ ଭ୍ରମର ସଙ୍ଗେ ହେଲା ପରିଣୟ ।

ପର ପୁତ୍ରେ ପର କନ୍ୟା ହୁଏ କିମ୍ପା ବନ୍ଦୀ,

ସାମାନ୍ୟ କଳିକା କାହୁଁ ଜାଣିବ ସେ ସନ୍ଧି ?

ଯୌବନ ସରସେ ନାହିଁ ଲାବଣ୍ୟ-ତରଙ୍ଗ

ସରସ ବସନ୍ତେ ସ୍ଫୁଟ ହୋଇନାହିଁ ଅଙ୍ଗ,

ଅନ୍ତର-ନିହିତ ମଧୁ ଦେଇନାହିଁ ଦେଖା,

ଯୁବତୀ ପଦରେ ଧନୀ ହୋଇାନାହିଁ ଲେଖା,

ପ୍ରଣୟୀ ଭ୍ରମର ତେଣୁ କେବେ କେବେ ଆସେ

ଭ୍ରମଇ ଏକାନ୍ତେ ବାଳକଳିକା ସକାଶେ ।

ଗୁଣୁ ଗୁଣୁ ସ୍ୱରେ ଅତି ଅପ୍ରକଟ ତାନେ

ନିତି ନୀତି ଉପଦେଶ କହଇ ତା କାନେ ।

ତାହାର ଶୈଶବ ତନୁ କେବେ ନ ପରଶେ,

ଭବିଷ୍ୟର ସୁଖ ଚିତ୍ର ଅଙ୍କଇ ମାନସେ;

କରେ ଅନୁକ୍ଷଣ ଭାବୀ-ପ୍ରମୋଦ କଳ୍ପନା,

ନ ଜାଣି ସମୟେ ହେବ ଆସି କି ଘଟନା ।

ଆହା କି ବିଚିତ୍ର ଭବେ ବିଧାତା ବିଚାର,

ଆହ୍ଲାଦ ସଙ୍ଗତେ ଥାଏ କଷଣ ଅପାର ।

ବସନ୍ତ ପ୍ରଦୋଷେ ଯେବେ ଫୁଟିଲା ସେ କଳି,

ପାନ୍ଥ ପଦେ ଦଳିହୋଇ ନାଶ ଗଲା ଅଳି ।

ଫୁଲ ପ୍ରକଟିତ ବାସେ ପ୍ରୟୋଜନ କିସ ?

ହୋଇଲା ସରସ ମଧୁ ଏବେ ସିନା ବିଷ !

ମଧୁ ପିଇବାକୁ ଏଥି ନାହିଁ ତ ମଧୁପ,

ରସିକ ନ ଥିଲେ କିଏ ଆଦରେ ଏ ରୂପ ?

ବନ-ନିବାସିନୀ ମଲ୍ଲୀ ଏ ନବ ଯୌବନେ

ଏକାକିନୀ ଅନାଇଛି ଅନନ୍ତ ଗଗନେ ।

ନୀରବେ ଶିଶିର-ଅଶ୍ରୁ ଗଳଇ ନୟନୁଁ

କମ୍ପେ ବିଧୁରାର ଆହା ନିରାଶ୍ରୟ ତନୁ ।

ଗୁପତେ ବାହୁନି କି ସେ କରଇ ବିଳାପ,

ପାଷାଣ ମାନବ-ହୃଦ ଜାଣେ କି ସେ ତାପ ?

ସହୃଦୟେ କେହି ଥରେ ନ ପକାଏ ଦୃଷ୍ଟି,

ଧରାଧାମେ ଅକାରଣ ହେଲା କି ତା ସୃଷ୍ଟି ?

ବୃଥା ଶୋକ ପରିହର ମଲ୍ଲିକା-ସୁନ୍ଦରୀ !

ଧୈର୍ଯ୍ୟ ଧର ଏବେ ନିଜ ଅଦୃଷ୍ଟ ସୁମରି ।

ସୁମନ ସମାଜ ହୃଦେ ନାହିଁ ଦୟା ଲେଶ,

ନ ଶୁଣନ୍ତି ତୋ ବିଳାପ, ନ ଜାଣନ୍ତି କ୍ଳେଶ ।

ପ୍ରଣୟର ସ୍ଥାନ ନୁହେ ଏ ସଂସାର ଏକା,

ପ୍ରେମେ ପ୍ରଣୟୀ ସଙ୍ଗତେ ହେବ ସ୍ୱର୍ଗେ ଦେଖା ।

ଏହି ଦିବ୍ୟ ସାନ୍ତ୍ୱନାରେ ଆଶ୍ୱାସିଣ ମନ,

କ୍ଷଣେ ଏଥି ରହି ଚଳ ଅମର ଭୁବନ ।

•••

 

ଶିବରାତ୍ରି

କରିଅଛି ଉପବାସ ପୂଜିବି ଶଙ୍କର,

ଜାଗର ଜାଳିଣ ହେବି ନିଶି ଉଜାଗର ।

କାହିଁ ଗଲେ ଦେଖିବି ସେ ସତ୍ୟ ଶିବ ରୂପ,

ନାଶିବି କି ଦୀପ ଜାଳି ଘୋର ତମ ସ୍ତୂପ ?

ଉଜାଗର ରହିବାକୁ କାହିଁ ମୋର ବଳ,

କି ଦ୍ରବ୍ୟେ ପୂଜିବି ଅବା ସେ ପଦଯୁଗଳ ?

ଏ ଜଡ଼ ଜଗତେ କାହିଁ ଚିଦାନନ୍ଦ ତନୁ,

ବାହ୍ୟାଲୋକେ ଅନ୍ଧକାର ଯିବା କାହିଁ ମନୁ ?

ରାତିକର ଉଜାଗରେ କିସ ପ୍ରୟୋଜନ ?

ନିଦ୍ରାବିମୋହିତ ମୋର ସମସ୍ତ ଜୀବନ !

କାହିଁ ପାରିଜାତ କାହିଁ ଜାହ୍ନବୀର ଜଳ,

କାହିଁ ବା ଅମର ଧାମ ହେମ ଶତଦଳ,

ଉପକରଣର ଲେଶ ନାହିଁ ଯେବେ ଭବେ,

ବ୍ରତ ଅନୁଷ୍ଠାନ କାହୁଁ କରିବେ ମାନବେ ?

ସନ୍ଦେହେ ବ୍ୟାକୁଳ ଏ ମୋ ଦୁର୍ବଳ ପରାଣ,

ନିରାଶ ବିଷାଦେ ଏବେ ମଗ୍ନ ମୋର ଜ୍ଞାନ,

ଅଶାନ୍ତି ଆବେଗେ ହୃଦ ହୁଏ ଆଲୋଡ଼ିତ,

ଘୋର ଅବିଶ୍ୱାସ ତମେ ଚିତ୍ତ ବିଜଡ଼ିତ ।

ପ୍ରକୃତିର ଚାରୁବେଶ ନ ଦେଖେ ନୟନ,

ଭୀମ ମରୁ ସମ ଲାଗେ ସମସ୍ତ ଭୂବନ ।

ଅନ୍ତରୁ ନୀରବେ ଏବେ ହେଲା ଦିବ୍ୟବାଣୀ,

କିମ୍ପା ଅବିଶ୍ୱାସେ ଜଡ଼ ହେଉ ମୂଢ଼ ପ୍ରାଣୀ ?

ଜଡ଼ ବୋଲି ଯାହା ତୋତେ ହୁଅଇ ପ୍ରତୀତ,

ନ ଜାଣୁ ତହିଁ କି ଶକ୍ତି ରହିଛି ନିହିତ !

ଶକ୍ତି ବିନା ସତ୍ତା କେବେ ନୁହଇ ସମ୍ଭବ,

ତେଣୁ ସଦା ଶିବମୟ ଦେଖ ସର୍ବ ଭବ ।

ଦୂର ଦେବାଳୟେ ଯିବା ନାହିଁ ପ୍ରୟୋଜନ,

ନିଜ ଅଭ୍ୟନ୍ତର ଦେଖ ଫେଡ଼ିଣ ନୟନ,

ହୃଦ-କପିଳାସେ ତୋର ବହେ ପ୍ରେମ-ଝର,

ବିଜେ କରିଛନ୍ତି ତହିଁ ସ୍ୱୟମ୍ଭୂ ଶଙ୍କର;

ଶୁଚିମନ୍ତ ହୋଇ ନିତି ଜ୍ଞାନ-ଦୀପ ଜାଳି,

ଶୁଦ୍ଧ-ଭକ୍ତି-ରସ ଦିଅ ସେ ଶ୍ରୀପଦେ ଢାଳି,

ଉଜାଗର ରହି କର ତାଙ୍କ ପ୍ରିୟ କର୍ମ,

ପାଇବାକୁ ବାଞ୍ଛା ଯେବେ ଶିବରାତ୍ରି-ଧର୍ମ ।

ସମସ୍ତ ଜୀବନ କର ଏକ ଶିବରାତ୍ରି,

ଅନ୍ଧାରେ ନ ହୁଡ଼ ପଥ ହେ ସ୍ୱରଗ-ଯାତ୍ରି !

•••

 

ପଥିକ

 

ମୁଁ ତ ଚାଲୁଅଛି ମୋ କର୍ମ ଆଦରି

କିଏ ମୋତେ ଥରେ ଥରେ,

ରହ ରହ କ୍ଷଣେ ପଥିକ ବୋଲିଣ

ଆଶ୍ଵାସି ଡାକେ ସାଦରେ !

ଏଣିକି ତେଣିକି ଚାହଁଇ ନିରେଖି

କେହି କାହିଁ ନ ଦିଶଇ,

ମୁହୂର୍ତ୍ତକ ଅନ୍ତେ ପୁଣି ସେହି ମତେ

କିଏ ସେ କାହୁଁ ଭାଷଇ ।

ମୁଁ ତ ଚାଲୁଅଛି ମୋ କର୍ମ ଆଦରି

କିଏ ମଧ୍ୟେ ଥରେ ଥରେ,

ଅତି ମନୋରମା ପୀରତି-ପ୍ରତିମା

ଉଭା ହୁଏ ମୋ ପଥରେ !

କାହିଁ କେବେ ପରା ଏ ରୂପ-ମାଧୁରୀ

ଆସ୍ଵାଦି ତୋଷିଛି ପ୍ରାଣ,

ଭାବୁଁ ଏହିପରି ପଲକେ ସେ ଶିରୀ

ହୁଏ କାହିଁ ଅନ୍ତର୍ଦ୍ଧାନ ।

ମୋ ପଥ ତ ମରୁ, ନାହିଁ ଲତା ତରୁ,

ନାହିଁ ବାୟୁ ନାହିଁ ଜଳ;

ତେବେ ବେଳେ ବେଳେ କାହୁଁ ବହିଆସେ

ଏ ଶୀତଳ ପରିମଳ ?

ଏ ଗନ୍ଧ କାହାର ଅତି ଚମତ୍କାର

ନିମିଷେ ବିଚାରୁ ମନ,

ନାହିଁ ସେ ସୁବାସ ନିଶ୍ଵାସ ପ୍ରଶ୍ଵାସ

ନିରୋଧେ ଝଞ୍ଜା ପବନ ।

କାହୁଁ ଏ ଆଶ୍ଵାସ, କାହୁଁ ଏ ସୁବାସ,

କାହାର ଏ ରୂପକାନ୍ତି,

ଏ ବିଜନ ସ୍ଥଳେ ପ୍ରାଣେ ଏକାବେଳେ

ଦିଏ ସ୍ନିଗ୍‌ଧ ଶାନ୍ତି ଭ୍ରାନ୍ତି ।

ଅସରନ୍ତି ପାଟ ଏ ଦୁର୍ଗମ ବାଟ

ଚାହିଁଲେ ବୁଡ଼େ ଚେତନା

କିଏ ବା ଚାଲନ୍ତା ନ ଲଭିଲେ ଏହି

ସ୍ଵର୍ଗୀୟ ସ୍ନେହ ସାନ୍ତ୍ଵନା !

ନିରସ ଅନ୍ତରେ ନିଜନ ପ୍ରାନ୍ତରେ

କିଏ ଧରନ୍ତା ଜୀବନ,

ଯେବେ ମୂର୍ତ୍ତିମତୀ ପୂର୍ବ ପ୍ରୀତି ସ୍ମୃତି

ନ ଦିଅନ୍ତା ଦରଶନ ?

ପବିତ୍ର ବାସନା କରନ୍ତେ ପ୍ରେରଣା

ହୃଦେ ଆସେ ନବ ବଳ,

କର୍ମପଥ ଶ୍ରମ ହରିବାକୁ ଆହା

କି ବିଚିତ୍ର କଉଶଳ !

ବିଭୁ ଆଶ୍ଵାସନା ପବିତ୍ର ବାସନା

ଶ୍ରଦ୍ଧା ସୁଧା ସ୍ନେହାନନା,

କର୍ମ ମହାପଥେ କରୁଛନ୍ତି ପାନ୍ଥେ

ସ୍ଥାନେ ସ୍ଥାନେ ଅଭ୍ୟର୍ଥନା ।

ତେବେ କର୍ମପଥେ ବ୍ୟର୍ଥ ମନୋରଥେ

ଘାରି ମୁଁ ହେବି କିପାଇଁ ?

ଏହି କିଏ କହେ ବାହ୍ୟେ କି ଅନ୍ତରେ

ଆଶ୍ଵାସିଣ ‘ନାହିଁ, ନାହିଁ’ ?

•••

 

ଗିରି-ଶିଖେ ଲୟ ରଖି ଚାଲିବି ମୁକର

 

ଯେତେ ଦୂର ଯାଏ ଚାଲି

ଚଉପାଶେ ଖାଲି ବାଲି,

ନାହିଁ କାହିଁ ଶ୍ୟାମଶସ୍ୟ ନବଦୂର୍ବାଦଳ,

ନାହିଁ ଲତା, ନାହିଁ ତରୁ,

କେବଳ ଭୀଷଣ ମରୁ,

ଦୁଶେ ନାହିଁ କାହିଁ ଜଳ ଫୁଲ ଅବା ଫଳ ।

ସୁନୀଳ ସୁନ୍ଦର ଗିରି

ଧରି ଅନୁପମ ଶିରୀ

ଦିଶୁଥିଲା ଅଳ୍ପ ଦୂରେ ଚକ୍ରବାଳ ମୂଳେ,

ଉଜ୍ଜ୍ଵଳ ତାରକାରାଶି

ଦିବ୍ୟ ଆଲୋକେ ବିଭାସି

ନିରନ୍ତର ଶୋଭୁଥିଲା ତାର ଚାରୁ ଚୂଳେ ।

ଭ୍ରମଣ ପ୍ରଥମ କ୍ଷଣେ

ଭାବି ନ ଥିଲି ମୁଁ ମନେ

ହେବ ବୋଲି ଏତେ ଦୂର ଏ ବିଷମ ପଥ,

କ୍ରମେ ବହିଯାଏ କାଳ

କ୍ରମେ ଘୁଞ୍ଚେ ଚକ୍ରବାଳ

ଶିଥିଳ ସେକତେ ଚଳେ ମୋର ମନୋରଥ ।

ଆଉ କେତେ ଦନ ଅନ୍ତେ

ଏ ଦୁସ୍ତର ବାଲିବନ୍ତେ

ନ ଚଳି ରହିବ ପାଦ ସିନା ଥକା ମାରି

ନ ଦେଖିବ ଜନ ଆଖି,

ଘୋର ପନ୍ତାରେ ଏକାକୀ

ଚାଲିଯିବ ସତେ ପ୍ରାଣ ବୃଥା ଘାରି ଘାରି !

ଗଲେ ପଛେ ଯାଉ ଜୀବ

ଯାହା ହେବ ଦେଖାଯିବ

ହେଲେ ହେଉ ଯେତେ ଦୂର ଏ ଦୁର୍ଗମ ପଥ;

କହ କେଉଁ ମୂଢ଼ ଜନ

କରି ଥରେ ବିଲୋକନ

ଏ ଅପୂର୍ବ ଦିବ୍ୟ ଦୃଶ୍ୟ ରହିବ ବିରତ ?

ଅବସନ୍ନ ହେଲେ କାୟା

ଆଶ୍ରିବି ଏ ଗିରି ଛାୟା,

ବାଲିଶେଯେ ଶୋଇବଇଁ ଯାଇ ଅଧେ ବାଟ,

ତାରକିତ ଗିରି-ଚୂଡ଼େ

ନିବେଶି ନୟନ ଦୃଢ଼େ

ଫେଡ଼ିବି ପରମ ସୁଖେ ହୃଦୟ-କବାଟ ।

ସୁଦୂର ସାଗର-ଗୀତି,

ଶ୍ରବଣେ ସ୍ଵର୍ଗୀୟ ପ୍ରୀତି

ଲଭିଣ ମୋ ପ୍ରାଣ-ପକ୍ଷୀ ଉଡ଼ିଯିବ ଧୀରେ;

ଅନୁସରି ସେହି ଗାନ,

କରି ମନେ ଏକଧ୍ୟାନ

ଅବଶେଷେ ବସିବ ସେ ଗିରି ଉଚ୍ଚ ଶିରେ ।

ଦେଖି ଚନ୍ଦ୍ର-ଚାରୁ ଅଙ୍ଗ,

ଲିଭିବାକୁ ତାର ସଙ୍ଗ

ଧାଇଁ ଧାଇଁ ପଥେ ଶଶା ଛାଡ଼ିଲା ପରାଣ,

କେତେ ଦୂରେ ନିଶାପତି

କାହିଁ ବା ଶଶ ଗତି

ପାଇଲା ସେ ଅନ୍ତେ ପରା ସେହି ବକ୍ଷେ ସ୍ଥାନେ !

ଶତ ଶଶୀ ବଳି ଶୋଭା,

କି ବିଚିତ୍ର ମନୋଲୋଭା,

କିପରି ଏହାର ଆଶା ଛାଡ଼ିବି ମୁଁ ନର,

ଗଲେ ପଛେ ଯାଉ ଜୀବ

ଯାହା ହେବ ଦେଖାଯିବ

ଗିରି-ଶିଖେ ଲୟ ରଖି ଚାଲିବି ମୁକର ।

•••

 

ନୀରବ

 

(୧)

ନୀରବେ ପ୍ରସରେ କ୍ଷଣେ ଦିବ୍ୟ ଜ୍ୟୋତି ଧାରା,

ନୀରବେ ଆକାଶେ ଉଦେ ରବି-ଶଶୀ-ତାରା,

ନୀରବେ ବଢ଼ଇ ତରୁଲତା ମହୀଧର,

ନୀରବ ନିଖିଳ ବିଶ୍ଵ ନିଗୂଢ଼ ମନ୍ତର ।

(୨)

ମହା-କାଳ-ପାରାବାର-ଅନନ୍ତ ଗରଭେ

ମିଶଇ ସମୟ-ସ୍ରୋତ ସତତ ନୀରବେ,

ନୀରବେ ଜଗତ କରେ ନିଜ କକ୍ଷେ ଗତି,

ନୀରବ ନିଖିଳ ବିଶ୍ଵ ନିଗୂଢ଼ ଶକତି ।

(୩)

ନୀରବେ ପ୍ରେମିକ ନେତ୍ରେ ଅଶ୍ରୁ ଢଳ ଢଳ,

ନୀରବେ ସରସୀ-ବକ୍ଷେ ହସେ ଶତଦଳ,

ନୀରବେ ନିରାଶ ହୃଦେ ବହେ ଦୀର୍ଘଶ୍ଵାସ,

ସୁଖେ ଦୁଃଖେ ପରାଣର ନୀରବ ଆଶ୍ଵାସ ।

 

(୪)

ତେବେ କିମ୍ପା ଚଉଦିଗେ ଚହଳ ଚିତ୍କାର,

କିମ୍ପାଇଁ ମାନବ କରେ ଏତେ ଅପଚାର ?

ଚାହଁ ଅନ୍ତରୀକ୍ଷ, ଚାହଁ ଆପଣା ଅନ୍ତର,

ଶୁଣ ଶିଖ ସାଧ ସଦା ନୀରବ ମନ୍ତର ।

Image